ଭୁବନେଶ୍ବର: ଅଣାୟତ୍ତ ହେଉଛି ଆଳୁ ଦର । ଗୋଟେ ପଟେ ମନ୍ତ୍ରୀ କହୁଛନ୍ତି, ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି । ଦର ବି ଖସିଛି । ହେଲେ ବଜାରର ହାଲଚାଲ ଅନ୍ୟ କିଛି ବୟାନ କରୁଛି । ଦୁଇ ଦିନ ରାତିରୁ ଯେଉଁ ଆଳକୁ କିଲୋ ପିଛା ୩୦ ଟଙ୍କା ଦେଇ କିଣୁଥିଲେ ଗ୍ରାହକ ଏବେ ସେଠି ଦର ୫୦ ଛୁଇଁଲାଣି । କେଉଁଠି ୪୦ କେଉଁଠି ୫୦ ମନ ଇଚ୍ଛା ବିକୁଛନ୍ତି ବିକ୍ରେତା । ଯାହା ଏବେ ମନ୍ତ୍ରୀଙ୍କ ବୟାନ ପ୍ରତି ଜନ ଅସନ୍ତୋଷ ସୃଷ୍ଟି କରିଛି ।
ତେବେ ଏହି ନିକଟ ଅତୀତରେ ପଶ୍ଚିମବଙ୍ଗ ସରକାର କୌଣସି ରାଜ୍ୟକୁ ଆଳୁ ଦେବାକୁ ମନା କରିବା ପରେ ପୁଣି ରାଜ୍ୟରେ ତେଜିଥିଲା ଆଳୁ ସମସ୍ୟା । ରାତିଆରାତି ଆଳୁ ୪୦-୫୦ ଛୁଇଁଥିଲା । ଏହାକୁ ନେଇ ଉତ୍ତରପ୍ରଦେଶରୁ ୩୦୦ ଟ୍ରକ ଆଳୁ ଆଣିଥିବା ନେଇ ସୂଚନା ଦେଇଥିଲେ । ହେଲେ ଗାଡି ଆସିବା ପରେ ଆଳୁ ବଜାରରେ ବିଶେଷ କିଛି ଫରକ ଦେଖିବାକୁ ପଡିନଥିଲା । ଯେଉଁଠି ଲୋକେ ୧୦୦ ଟଙ୍କା ୩ କିଲୋ ଆଳୁ ନେଉଥିଲେ । ସେଠି ଏବେ ୨ କିଲୋ ଆଣୁଥିବା ଅଭିଯୋଗ କରିଛନ୍ତି ଖାଉଟି ।
ଅନ୍ୟପଟରେ ଆଳୁର ବର୍ଦ୍ଧିତ ଦରକୁ ନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଳୁ ମହଜୁଦ୍ ରହିଛି । ସରକାରକୁ ବଦନାମ କରିବାକୁ କୃତ୍ରିମ ଅଭାବ ସୃଷ୍ଟି କରାଯାଇଛି । ଏହା ଦିଦିଙ୍କ ଷଡଯନ୍ତ୍ର । ମମତା ସରକାର ରାଜନୀତିକ ମନୋଭାବ ରଖି ଆଳୁ ଦେବାକୁ ମନା କଲେ, ଏବେ ପୁଣି ରାଜି ହେଲେଣି । ଏବେ ଆଳୁ ବଜାର ସ୍ବାଭାବିକ ରହିଛି । ଏଥିସହିତ ଆଳୁ ଦର ଆହୁରି କମିବ ବୋଲି ଦାବି କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମନ୍ତ୍ରାଙ୍କ ଏହି ବୟାନରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ କେଉଁଠି ଆଳୁ ଦର ସ୍ବାଭାବିକ ହୋଇଛି ବୋଲି ମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ଏଥିସହିତ ଏହାକୁ ନେଇ ବିରୋଧୀ ମଧ୍ୟ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ବାରମ୍ବାର ବୟାନ ବଦଳାଇ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ପାଇଁ ପଶ୍ଚିମବଙ୍ଗକୁ ଦୋଷ ଦେଇ ନିଜେ ଖସି ଯିବାକୁ ବସିଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।
Comments are closed.