Latest Odisha News

ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ଦାବି କଲା ଏନପିଏସ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ପେନ୍‌ସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ହୋଇଛି ଦାବି। ଦିନ ୯ଟାରୁ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ଆଉ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏପରି ସ୍ଥିତିରେ ପିଲାମାନେ ଦିନ ୧୦ ଟାରୁ ୪ ଟା ଯାଏ ସ୍କୁଲ ଯାଇ ପାଠ ପଢିବା କଷ୍ଟକର। ତେଣୁ ସାରା ରାଜ୍ୟରେ ତାତି କମିମା ପର୍ଯ୍ୟନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ଦାବି କରିଛି ଏନପିଏସ ଶିକ୍ଷକ ସଂଘ।

ଭିଷଣ ଗରମ ଯୋଗୁଁ ସାଧାରଣ ସୁସ୍ଥ ଲୋକଟିଏ ଦିନ ୧୦ଟା ରୁ ୪ଟା ମଧ୍ୟରେ ଘରୁ ପଦାକୁ ବାହାରିବା ମୁସକିଲ ହେଉଛି। ଆଉ ଏପରି ପରିସ୍ଥିତିରେ ପିଲାମାନେ ପାଠ ପଢିବାକୁ ସ୍କୁଲ ଯିବା ଅର୍ଥ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ। ଏନେଇ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଏବଂ ସଂଘର ଅନ୍ୟାନ୍ୟ ସଦସ୍ୟ ଏକ ପ୍ରେସ ବିବୃତି କରି ସକାଳୁଆ ସ୍କୁଲ କରିବାକୁ ଦାବି କରିଛନ୍ତି।

ସୂଚନା ଥାଉକି ମଙ୍ଗଳବାର ରାଜ୍ୟର ତାପମାତ୍ରା ପୂର୍ବ ଅପେକ୍ଷା ଟିକିଏ କମିଛି। ରାଜ୍ୟର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ଉପଦ୍ୱୀପର ଆଉ କିଛି ଭାଗରେ ମୌସୁମୀ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ପ୍ରଭାବରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

Leave A Reply

Your email address will not be published.