କଟକ: ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବାର ୮ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ତିନିଦିନ ଅର୍ଥାତ୍ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ।
୨୯ ତାରିଖ ସୋମବାର ପ୍ରଥମ ଅବକାଶକଳୀନ ଅଦାଲତ ବସିବ। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରିକାଳୀନ ମାମଲାର ଶୁଣାଣି ହେବ। ପରେ ବିଚାରପତି ଦ୍ୱୟ ପୃଥକ୍ ପୃଥକ୍ ବେଞ୍ଚ୍ରେ ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ। ଅନ୍ୟତମ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ମଧ୍ୟ ସେହି ଦିନ ଜାମିନ୍ ମାମଲାର ଶୁଣାଣି କରିବେ।
ସେହିପରି ଅକ୍ଟୋବର ପହିଲାରେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ ଏବଂ ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପରେ ଉଭୟ ବିଚାରପତି ପୃଥକ୍ ପୃଥକ୍ ଭାବେ ଅନ୍ୟ ମାମଲାର ଶୁଣାଣି କରିବେ। ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏବଂ ଜଷ୍ଟିସ୍ ବିରଜାପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ସେହି ଦିନ ଉଭୟ ବିଚାରପତି ପୃଥକ ଭାବେ ମଧ୍ୟ ଅନ୍ୟ ମାମଲାର ଶୁଣାଣି କରିବେ।
Comments are closed.