ନୂଆଦିଲ୍ଲୀ: ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ତ ବଢ଼ୁଛି, କିନ୍ତୁ ଏହି ବିକାଶ ସହିତ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଛି ସବୁଠାରୁ ବଡ଼ ଚଡ଼କ । ବିଗତ ୨୬ ବର୍ଷ ମଧ୍ୟରେ ଦେଶରେ ଆକାଶଛୁଆଁ ମହଙ୍ଗା ମାଡ଼ ହୋଇଛି, ଯାହା ଆମ ଆଦମୀର ସାରା ମାସର ବଜେଟ୍କୁ ବିଗାଡ଼ି ଦେଇଛି । ଯେଉଁ ଜିନିଷଗୁଡ଼ିକ ଦିନେ ସାଧାରଣ ଆବଶ୍ୟକତା ଥିଲା, ଆଜି ସେଗୁଡ଼ିକ ମଧ୍ୟବିତ୍ତ ଏବଂ ଗରିବ ପରିବାର ପାଇଁ ଏକ ବଡ଼ ବୋଝ ପାଲଟିଛି ।
ଆସନ୍ତୁ ନଜର ପକାଇବା ଗତ ୨୬ ବର୍ଷର କିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଉପରେ:
କ୍ଷୀର: ବର୍ଷ ୨୦୦୦ରେ ଯେଉଁ କ୍ଷୀର ଲିଟର ପ୍ରତି ପ୍ରାୟ ୧୪ ଟଙ୍କା ଥିଲା, ୨୦୨୬ରେ ତାହା ବଢ଼ି ପ୍ରାୟ ୭୨ ଟଙ୍କାରେ ପହଞ୍ଚିଛି !
ପେଟ୍ରୋଲ: ଦିନେ ୨୬ ଟଙ୍କା ପ୍ରତି ଲିଟର ମିଳୁଥିବା ପେଟ୍ରୋଲ ଆଜି ଅନେକ ସହରରେ ୧୧୫ ଟଙ୍କା ପାର୍ କରିସାରିଛି !
ରୋଷେଇ ଗ୍ୟାସ୍ (LPG): ଦୁଇ ଦଶନ୍ଧି ପୂର୍ବେ ମାତ୍ର ୧୫୭ ଟଙ୍କାରେ ମିଳୁଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଆଜି ଗ୍ରାହକଙ୍କୁ ୯୦୦ ଟଙ୍କାରୁ ଅଧିକ ଗଣିବାକୁ ପଡ଼ୁଛି !
ଅର୍ଥନୈତିକ ରିପୋର୍ଟ ଅନୁସାରେ, ଗତ ୨୬ ବର୍ଷରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ପ୍ରାୟ ୧୦ ଗୁଣ ବଢ଼ିଛି ସତ, କିନ୍ତୁ ଆୟ ବଢ଼ିବା ସହିତ ଖର୍ଚ୍ଚ ତା’ଠାରୁ ଅଧିକ ବେଗରେ ଆଗକୁ ମାଡ଼ି ଚାଲିଛି। ବିଶେଷଜ୍ଞଙ୍କ ମତରେ, ଦେଶରେ ମହଙ୍ଗା ପରିମାଣ ଆୟ ବୃଦ୍ଧି ତୁଳନାରେ ବହୁତ ଅଧିକ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଏବଂ ପ୍ରତିଦିନ ବ୍ୟବହାର ହେଉଥିବା ଡାଲି, ଖାଇବା ତେଲ ପରି ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତଙ୍କ ସଞ୍ଚୟ କରିବାର କ୍ଷମତାକୁ ସମ୍ପୂର୍ଣ୍ଣ ଶେଷ କରିଦେଇଛି। ପୂର୍ବରୁ ପରିବାରଗୁଡ଼ିକ ଭବିଷ୍ୟତ ପାଇଁ ଯେଉଁ ଟଙ୍କା ସଞ୍ଚୟ କରୁଥିଲେ, ଆଜି ବଦଳୁଥିବା ସମୟରେ ବର୍ଦ୍ଧିତ ଖର୍ଚ୍ଚ ଯୋଗୁଁ ସଞ୍ଚୟ କରିବା କଷ୍ଟକର ହୋଇପଡ଼ିଛି।
ତେବେ ଏହି ମହଙ୍ଗା ମାଡ଼ର ସବୁଠାରୁ ବଡ଼ ପ୍ରଭାବ କେଉଁଠି ପଡ଼ିଛି ? ତାହା ହେଉଛି ଆମ ଘରର ରୋଷେଇ ଶାଳ ଏବଂ ଯାତାୟାତ ଖର୍ଚ୍ଚ ଉପରେ । କ୍ଷୀର, ପେଟ୍ରୋଲ, ଏଲ୍ପିଜି ଗ୍ୟାସ୍ ଏବଂ ଖାଦ୍ୟ ପଦାର୍ଥର ଦାମ୍ ସାଧାରଣ ଜୀବନଯାତ୍ରାର ମୂଲ୍ୟକୁ ବହୁ ଗୁଣ ବଢ଼ାଇ ଦେଇଛି । ଅର୍ଥନୀତିଜ୍ଞମାନଙ୍କ କହିବା କଥା, କେବଳ ଆର୍ଥିକ ବିକାଶର ପରିସଂଖ୍ୟାନ ଦେଖାଇଲେ ହେବ ନାହିଁ, ବରଂ ଆଗାମୀ ବର୍ଷରେ ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ସାଧାରଣ ଲୋକଙ୍କ ପ୍ରକୃତ ଆୟ ବୃଦ୍ଧି କରିବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ।