Latest Odisha News

ଭାରତରେ ସାଇନ୍ସ ଫିକ୍ସନ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ପ୍ରଭାସଙ୍କ ଅଭିନୀତ ସାଇନ୍ସ ଫିକସନ ଫିଲ୍ମ କଲକୀ ୨୮୯୮ । ଏହା ଏକ ବ୍ୟୟବହୁଳ ତାରକା ଖର୍ଚ୍ଚିତ ସାଇନ୍ସ ଫିକ୍ସନ ଫିଲ୍ମ,ଯେଉଁଥିରେ ପୌରାଣିକ କଥାବସ୍ତୁକୁ ମଧ୍ୟ ସ୍ଥାନ ଦିଆଯାଇଛି । ଅନେକ ଦିନ ପରେ ଭାରତରେ ଏକ ସାଇନ୍ସ ଫିକସନ ଜେନରର ଫିଲ୍ମ ରିଲିଜ ହୋଇଛି ।

ହଲିଉଡ୍ ତୁଳନାରେ ଭାରତରେ ସାଇନ୍ସ ଫିକ୍ସନ ବା କଳ୍ପିତ ବିଜ୍ଞାନ ଶ୍ରେଣୀର ଫିଲ୍ମର ସଂଖ୍ୟା ବହୁତ କମ୍ । ଏହାର ଅର୍ଥ ନୁହେଁ ଯେ, ଭାରତୀୟ ଦର୍ଶକମାନେ ସାଇନ୍ସ ଫିକସନ ଫିଲ୍ମ ପସନ୍ଦ କରନ୍ତି ନାହିଁ  । ହଲିଉଡ ନିର୍ମିତ ଅନେକ ସାଇନ୍ସ ଫିକ୍ସନ ଫିଲ୍ମ ଭାରତରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି । ଏଲିଏନ୍‌, ଷ୍ଟାର ୱାର, ଟରମିନେଟର ଓ ଜୁରାସିକ ପାର୍କ ସିରିଜ ଗୋଟିଏ ଗୋଟିଏ ଉଦାହରଣ । କିନ୍ତୁ ଭାରତରେ ନିର୍ମିତ ସାଇନ୍ସ ଫିକ୍ସନର କେବଳ ମିଶ୍ର ସଫଳତା ହାସଲ କରିପାରିଛି । ଏହାର ଏକମାତ୍ର କାରଣ ହୋଇପାରେ ଯେ, ଅଧିକାଂଶ ଭାରତୀୟ ସାଇନ୍ସ ଫିକସନ ଫିଲ୍ମ ହଲିଉଡ୍ ଫିଲ୍ମର ନକଲ ହୋଇଥାଏ । ହେଲେ ହଲିଉଡର ନକଲ ହୋଇ ବି କିଛି ଭାରତୀୟ ସାଇନ୍ସ ଫିକ୍ସନ ଫିଲ୍ମ ବକ୍ସ ଅଫିସରେ ସଫଳତା ହାସଲ କରିଛି । ଆଉ ଅରିଜିନାଲ ହୋଇ ବି କିଛି ଫିଲ୍ମ ଦର୍ଶକୀୟ ସମର୍ଥନ ହାସଲ କରିପାରିନାହିଁ ।

ଭାରତରେ ପ୍ରଥମେ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସାଇନ୍ସ ଫିକସନ ଫିଲ୍ମ ନିର୍ମାଣ ଆରମ୍ଭ ହୋଇଥିଲା । ୧୯୫୨ ମସିହାର ଇଂରାଜୀ-ତାମିଲ ଫିଲ୍ମ କାଦୁ ଭାରତର ପ୍ରଥମ ସାଇନ୍ସ ଫିକସନ ଫିଲ୍ମ ବୋଲି କେତେକ ବିଶେଷଜ୍ଞ କହନ୍ତି । ୧୯୬୩ ର ତାମିଲ ଫିଲ୍ମ କଲାଇ ଆରାସିର କାହାଣୀ କଳ୍ପିତ ବିଜ୍ଞାନ ଥିମ୍ ଉପରେ ଆଧାରିତ ଥିଲା । ୧୯୬୪ର ମିଷ୍ଟର ଏକ୍ସ ଇନ୍ ବମ୍ବେ ଓ ୧୯୬୭ ମସିହାରେ ରିଲିଜ ହୋଇଥିଲା ‘ଚାନ୍ଦ୍ ପେ ଚଢାଇ’ ହିନ୍ଦି ସାଇନ୍ସ ଫିକ୍ସନ ଫିଲ୍ମର ପ୍ରାରମ୍ଭିକ ଉଦାହରଣ ।

ଭାରତୀୟ ସାଇନ୍ସ ଫିଲ୍ମର ସଂଖ୍ୟା ଅତି କମ୍ ଓ ଏଥିମଧ୍ୟରୁ କିଛି ହଲିଉଡ ଫିଲ୍ମର ନକଲ । ଏଥିମଧ୍ୟରୁ କିଛି ସଫଳତା ହାସଲ କରିଛି ତ ଆଉ କିଛି ବିଫଳ ହୋଇଛି ।୧୯୮୭ ମସିହାରେ ଅନୀଲ କପୁର-ଶ୍ରୀଦେବୀ ଅଭିନୀତ ଓ ଶେଖର କପୁର ନିର୍ଦ୍ଦେଶିତ ମିଷ୍ଟର ଇଣ୍ଡିଆ ଥିଲା ଏକ ସାଇନ୍ସ ଫିକ୍ସନ ଫିଲ୍ମ । ବକ୍ସ ଅଫିସରେ ଅପାର ସଫଳତା ହାସଲ କରିଥିଲା ମିଷ୍ଟର ଇଣ୍ଡିଆ । ହଲିଉଡ୍ ଫିଲ୍ମ ଦି ଇନଭିଜିବଲ୍ ମ୍ୟାନର କପି ଥିଲେ ମଧ୍ୟ ମିଷ୍ଟର ଇଣ୍ଡିଆର ସଫଳତା  ଭାରତରେ ସାଇନ୍ସ ଫିକସନ ଫିଲ୍ମର ଗ୍ରହଣୀୟତା ବୃଦ୍ଧି କରିବାରେ ସହାୟକ ହୋଇଥିଲା । ୧୯୮୦ ମସିହାରେ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ବଙ୍ଗଳା ଫିଲ୍ମ ହୀରକ ରାଜାର ଦେଶେ ମଧ୍ୟ ଥିଲା ଏକ ସାଇନ୍ସ ଫିକସନ ଫିଲ୍ମ ।

୧୯୯୧ରେ ରିଲିଜ ହୋଇଥିବା ତେଲେଗୁ ଫିଲ୍ମ ଆଦିତ୍ୟ ୩୬୯ ହେଉଛି ଭାରତର ପ୍ରଥମ ଟାଇମ ଟ୍ରାଭେଲ ସାଇନ୍ସ ଫିକ୍ସନ ଫିଲ୍ମ । ୨୦୦୩ ମସିହାର ହିନ୍ଦି ଫିଲ୍ମ କୋଇ ମିଲ ଗୟା, ୨୦୧୦ରେ ରିଲିଜ ହୋଇଥିବା ରଜନୀକାନ୍ତଙ୍କ ଏନ୍ତିରନ୍ ( ରୋବଟ )ର ପ୍ରଥମ ଓ ଦ୍ୱିତୀୟ ଭାଗ, ୨୦୧୧ ମସିହାର ଶାହାରୁଖ ଖାନ ଅଭିନୀତ ରା.ୱାନ୍ , ୨୦୧୯ର କାର୍ଗୋ ଓ ସର୍ଟ ସର୍କିଟ୍ ସାଇନ୍ସ ଫିକ୍ସନ ଫିଲ୍ମର ଗୋଟିଏ ଗୋଟିଏ ଉଦାହରଣ । ଚଳିତ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ପୂର୍ବାପେକ୍ଷା ଅଧିକ ସାଇନ୍ସ ଫିକ୍ସନ ରିଲିଜ ହୋଇଛି । କିନ୍ତୁ ସଫଳତା ହାର ମିଶ୍ରିତ ହିଁ ରହିଛି ।

ଓଡିଶା ସମ୍ବାଦ ବ୍ୟୁରୋ

Leave A Reply

Your email address will not be published.