Latest Odisha News

ଦିଲ୍ଲୀରେ ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରନରେ ଯୁଦ୍ଧ ଘନଘଟା ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ସେଠାରେ ଥିବା ଭାରତୀୟ ଘର ବାହୁଡ଼ା କରୁଛନ୍ତି । ୟୁକ୍ରେନରୁ ଆଉ ୨୫୦ ଭାରତୀୟ ନାଗରିକ ଫେରିଛନ୍ତି । ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ସେମାନଙ୍କୁ ରୋମାନିଆର ବୁଖାରେଷ୍ଟରୁ ବାହାରି ଦିଲ୍ଲୀରେ ପହଞ୍ଚିଛି । ମିଶନ ଗଙ୍ଗା ଜରିଆରେ ସେମାନଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଅଣାଯାଇଛି ।

ଦିଲ୍ଲୀ ବିମାନବନ୍ଦରରେ ସେମାନଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି.ମୁରଲିଧରନ୍‌ ସ୍ୱାଗତ କରିଥିଲେ। ଗତକାଲି ୨୧୯ ଜଣ ଭାରତୀୟଙ୍କୁ ନେଇ ବୁଖାରେଷ୍ଟରୁ ମୁମ୍ବାଇରେ ପହଞ୍ଚିଥିଲା ଏୟାର ଇଣ୍ଡିଆ ବିମାନ । ଅନ୍ୟପଟେ ହଙ୍ଗେରୀର ବୁଡାଫେଷ୍ଟରୁ ଆଉ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।

ରୁଷର ଆକ୍ରମଣ ଯୋଗୁ ୟୁକ୍ରେନ ଆକାଶ ମାର୍ଗ ବନ୍ଦ ରହିଛି । ଏହାପରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ସଡ଼କ ପଥରେ ରୋମାନିଆ ଓ ହଙ୍ଗେରୀ ସୀମାରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ସ୍ୱଦେଶ ଅଣାଯାଉଛି । ୟୁକ୍ରେନରେ ୧୬ ହଜାରରୁ ଅଧିକ ଭାରତୀୟ ଫସି ରହିଥିଲେ ।

Comments are closed.