ଆଡିଲେଡ: ଜୀବ ଜଗତର ଷଷ୍ଠ ପର୍ଯ୍ୟାୟ ବିଲୁପ୍ତ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଯାଇଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଯଦି ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯିବ ତାହାହେଲେ ଭୟଙ୍କର ସ୍ଥିତି ଉପୁଜିବ ବୋଲି ସେମାନେ କହିଛନ୍ତି । ଯଦି ଏହି ଧାରା ବଳବତର ରୁହେ ତାହାହେଲେ ୨୨୦୦ ବେଳକୁ ଅଧିକାଂଶ ପ୍ରଜାତି ଆମେ ହରେଇ ସାରିଥିବା । ପୃଥିବୀର ପ୍ରଥମ ପର୍ଯ୍ୟାୟ ଜୀବାଶ୍ମଗୁଡିକ ଅନୁଧ୍ୟାନ କଲେ ଏହାର ୯୯ ପ୍ରତିଶତ ପ୍ରଜାତି ନଷ୍ଟ ହୋଇ ସାରିଛନ୍ତି । ବିକସିତ ପ୍ରଜାତିଙ୍କୁ ଏଥିରେ ସାମିଲ କରାଯାଇନି । ସୂଚନାଯୋଗ୍ୟ, ବିକଶିତ ପ୍ରଜାତି ଧିରେ ଧିରେ ବିଲୁପ୍ତ ପ୍ରଜାତିଙ୍କ ସ୍ଥାନ ପରୋକ୍ଷ ଭାବେ ନେଇ ଯାଇଥାନ୍ତି । ୫୪ କୋଟି ବର୍ଷ ତଳେ ବିକସିତ ପର୍ଯ୍ୟାୟ ପ୍ରଜାତି ଦ୍ରୁତ ବେଗରେ ବୃଦ୍ଧି ପାଇଥିଲେ । ଏହା ପରେ ପରେ ସାମୁହୀକ ରୂପରେ ବିଲୁପ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଥିଲା ।
ବର୍ତମାନ ସୁଦ୍ଧା ଏହି ପର୍ଯ୍ୟାୟର ୫ମ ପ୍ରକ୍ରିୟା ଶେଷ ହୋଇ ସାରିଛି । ଜନସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଉଦ୍ଭିଦ ସଂଖ୍ୟା କମିବାରେ ଲାଗିଛି । ୧୧,୦୦୦ ବର୍ଷ ତଳେ କୃଷି ପଦ୍ଧତି ଆରମ୍ଭ ହେବା ପରେ ବଡ ବଡ ବୃକ୍ଷଙ୍କ ସଂଖ୍ୟା କମିବାରେ ଲାଗିଛି । ଆଧୁନିକ ସମାଜ ବର୍ତମାନରେ ବଂଚୁଥିବାରୁ ଭବିଷ୍ୟତର ଭୟଙ୍କର କଥା ଜାଣି ପାରୁନି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଥରେ ପରିବେଶ ସମତୁଲ ପ୍ରକ୍ରିୟା ବିଗିଡିଗଲେ ତାକୁ ସୁଧାରିବା କଷ୍ଟକର ହେବ । ଏହାକୁ ରୋକିବାକୁ ହେଲେ ପରିବେଶକୁ ସୁସ୍ଥ ରଖିବାକୁ ପଡିବ । କର୍ପୋରେଟ ଜଗତ ଉପରେ ଏଥିନେଇ କଠୋର ନିୟମ ଲାଗୁ ହେବା ଉଚିତ । ଆଉ ସବୁଠାରୁ ବଡ କଥା ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ସାମାନ୍ୟ ଉଦ୍ୟମ ଆମ ଭବିଷ୍ୟତ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।
Comments are closed.