Latest Odisha News

ପ୍ରିମିୟମ୍ ନେଇ ପ୍ରତାରଣା, ଚାଷୀଙ୍କୁ ମିଳୁନି ଫସଲ ବୀମା

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା । କିନ୍ତୁ ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି । ଫସଲ ବୀମା ଥାଇ ବି କ୍ଷତିପୂରଣ ଚାଷୀ ପାଉନଥିବା ଅଭିଯୋଗ ହୋଇଛି । ବୀମା ରାଶି ବାବଦରେ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ବେଳେ ବିଞ୍ଝାରପୁର ବ୍ଲକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ବୀମା ରାଶି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି । କ୍ଷତିପୂରଣ ନ ମିଳିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

ବିଞ୍ଝାରପୁର ବ୍ଲକରେ ଏଚଡିଏଫସି ଆଗ୍ରୋ ଜିଆଇସି ଲିମିଟେଡ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇଥିଲା । ୨୦୨୧ ମସିହା ଜୁଲାଇ ୩୦ ସୁଦ୍ଧା କମ୍ପାନୀ ବୀମା ଆବେଦନ ଫର୍ମ ଗ୍ରହଣ କରିଥିଲା । ଜମିର ପରିମାଣ ଅନୁଯାୟୀ ଚାଷୀମାନେ ବୀମା ଅର୍ଥ ଜମା ବି କରିଥିଲେ । ସରକାର ମଧ୍ୟ ଅଂଶଧନ ଜମାକରି ଥିବା ଚାଷୀଙ୍କ ମୋବାଇଲକୁ ମେସେଜ ଆସିଥିଲା ।

୨୦୨୦ ମସିହାରେ ଜରୀ ନାଉବାଙ୍କରେ ଘାଇ ହେବା ସହିତ ୨୦୨୧ ସେପ୍ଟେମ୍ଵର ମାସରେ ଘାଇ ମୁହଁ ମୁକୁଳା ହେବାରୁ ପୁନର୍ବାର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ତହସିଲ ପକ୍ଷରୁ ତଦନ୍ତ କରି ଜିଲ୍ଲାପାଳଙ୍କୁ ଦିଆଯାଇଥିଲା କ୍ଷୟକ୍ଷତି ରିପୋର୍ଟ । ମାତ୍ର ୨୦୨୧ ମସିହା ଡିସେମ୍ଵରରେ ଚାଷୀଙ୍କ ଫସଲର କୌଣସି କ୍ଷତି ହୋଇ ନଥିବା ବୀମା କମ୍ପାନୀ ଭୁଲ୍ ରିପୋର୍ଟ ଦେଇଥିଲା ।

ବୀମା କମ୍ପାନୀର ମନମାନିକୁ ନେଇ ଚାଷୀ ପ୍ରଶାସନକୁ ଫେରା ହୋଇଥିବା ବେଳେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଶତାଧିକ ଚାଷୀ ସାନି ଆବେଦନ କରିଥିବା ବେଳେ ଆହୁରି ଅନେକଙ୍କ ନାଁ କ୍ଷତିଗ୍ରସ୍ତ ତାଲିକାରୁ ବାଦ୍ ପଡ଼ିଛି ।

Leave A Reply

Your email address will not be published.