ଭୁବନେଶ୍ବର: ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ । ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପରବର୍ତ୍ତୀ ସୁଭଦ୍ରା କିସ୍ତି ମିଳିବ । ଏହାପରେ ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଡିସେମ୍ବର ଶେଷ ସୁଦ୍ଧା ଏଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ ।
ଏଥିସହିତ ଯେଉଁମାନଙ୍କ ଆବେଦନ ଖାରଜ ହୋଇଛି ସେନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରାରେ ମୋଟ ୨ ଲକ୍ଷ ୬୭ ହଜାର ଆଦେବନ ଖାରଜ ହୋଇଛି । ଏହାକୁ ପୁଣିଥରେ ଯାଞ୍ଚ କରାଯିବ । ଖାରଜ ଆବେଦନର ରିଚେକ୍ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସ ଦାୟିତ୍ବ ଦିଆଯାଇଛି । ଏଥିସହିତ ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି । ଯେଉଁମାନଙ୍କ ଆବେଦନ ଖାରଜ ହୋଇଛି ସେମାନଙ୍କୁ ଅଙ୍ଗନବାଡି ଦିଦିଙ୍କ ଜରିଆାରେ ନୋଟିସ୍ ପଠାଯିବ । ବ୍ୟାଙ୍କ ସମ୍ପର୍କିତ ତ୍ରୁଟି ରହିଥିଲେ ବ୍ୟାଙ୍କ ଜରିଆାରେ ସୂଚନା ଦିଆଯିବ । ଏଥିସହିତ ମୁଖ୍ୟତଃ ଜମି ଆଧାରରେ ଅନେକଙ୍କ ଆବେଦନ ଖାରଜ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ହିତାଧିକାରୀଙ୍କ ଆବେଦନ ଜମି ଆଧାରରେ ଖାରଜ ହୋଇଛି ସେମାନଙ୍କ ଆବେଦନକୁ ପୁଣିଥରେ ତହସିଲଦାର୍, ଆରଆଇ ପୁନଃ ଯାଞ୍ଚ କରିବେ ।
ତେବେ ଗତ ୧୭ ତାରିଖରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନା ପ୍ରଧାମନ୍ତ୍ରୀଙ୍କ ମୋଦିଙ୍କ ହାତରେ ହିଁ ଶୁଭାରମ୍ଭ ହୋଇଥିଲେ । ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ ଭରିବା ବେଳେ ମୋଟ ୬୦ ଲକ୍ଷ ୨୦ ହଜାର ମହିଳା ଏଥିରେ ସାମିଲ ହୋଇସାରିଲେଣି ।