Latest Odisha News

BREAKING NEWS

ଶେଷ ହେଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ, ଆସନ୍ତା ୧୩ରୁ ଆରମ୍ଭ ହେବ…

ପୁରୀ: ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି । ୪ ଦିନ ଧରି ଚାଲିଥିବା ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଶେଷ ହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ କରାଗଲା । ୧୯୭୮ ତାଲିକା ଅନୁଯାୟୀ ଅଧିକ ଅଳଙ୍କାର ରହିଥିବା ଜଣାପଡିଛି । ଡିଜିଟାଲ ଫଟୋଗ୍ରାଫି ମାଧ୍ୟମରେ ସମସ୍ତ ରତ୍ନ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।

ଆଜି ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ କରିବା, ଓଜନ ନିର୍ଣ୍ଣୟ କରିବା ଏବଂ କେଉଁ ରତ୍ନରେ ଅଳଙ୍କାର ତିଆରି ହୋଇଛି ତାହାର ଚିହ୍ନଟ ପାଇଁ ରତ୍ନ ଅଳଙ୍କାର ବିଶେଷଜ୍ଞ ମାନେ ଅତ୍ୟାଧୁନିକ ମେସିନ ମାଧ୍ୟମରେ ସମସ୍ତ ରତ୍ନ ଅଳଙ୍କାର କୁ ଚିହ୍ନଟ କରିଛନ୍ତି ।

ଗତ ମାର୍ଚ୍ଚ ୨୫ରେ ଚଳନ୍ତି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ସରିଥିଲା । ୧୧ଟା ୩୫ ରେ ଆରମ୍ଭ ହୋଇ ୬ଟା ୩୫ରେ ଗଣତି ମଣତି କାର୍ଯ୍ୟ ଶେଷ ହୋଇଥିଲା । ସାତଘଣ୍ଟା ଧରି ଚାଲିଥିଲା ଗଣତି ମଣତି । ଏପ୍ରିଲ ୧୩ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ।

ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଣତି ମଣତି କାର୍ଯ୍ୟ କରାଯାଉଛି। ଗଣତି ମଣତି ଟିମ୍ ରେ ଶ୍ରୀମନ୍ଦିର ବଣିଆ ସେବକ, ବ୍ୟାଙ୍କ ରୁ ଆସିଥିବା ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ, ପ୍ରାଧିକୃତ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏହି ଗଣତି ମଣତି କାର୍ଯ୍ୟରେ ସାମିଲ୍ ହୋଇଛନ୍ତି । ଆଗାମୀ ସ୍ନାନଯାତ୍ରା ପୂର୍ବରୁ ସମସ୍ତ ଗଣତି ମଣତି କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.