Latest Odisha News

BREAKING NEWS

ଆରମ୍ଭ ହେଲା ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା, ମହାପ୍ରଭୁଙ୍କ ଅଣସର ନୀତି

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀବିଗ୍ରହ ମାନଙ୍କ ଗୁପ୍ତ ସେବା ଆରମ୍ଭ କରିଛନ୍ତି। ଅପରପକ୍ଷରେ ଦଶାବତାର ଠାକୁରଙ୍କ ସହ ପଟି ଦିଅଁଙ୍କ ପୂଜା ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି।

ଶ୍ରୀବିଗ୍ରହ ମାନେ ୧୦୮ ଗରାଜଳରେ ସ୍ନାନ କରିବା ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବା ପରେ ଶନିବାର ରାତିରେ ମଇଲମ ହୋଇ ପୁଷ୍କାଞ୍ଜଳି ଓ ଡୋରଲାଗି ହୋଇଥିଲା । ପରେ ପହଣ୍ଡୀ ଆରମ୍ଭ ହୋଇଥିଲା । ଠାକୁରମାନେ ଗୋଟି ପହଣ୍ଡୀରେ ଅଣସର ପିଣ୍ଡୀଙ୍କୁ ବିଜେ କରିଥିଲେ। ପ୍ରଥମେ ମଦନମୋହନ ଏବଂ ରାମକୃର୍ଷ୍ଣଙ୍କ ପହଣ୍ଡୀ ଆରମ୍ଭ ହୋଇଥିଲା। ପରେ କ୍ରମ ଅନୁସାରେ ସୁର୍ଦଶନ, ବଡ ଠାକୁର , ମା ସୁଭଦ୍ରା ଏବଂ ରାତି ବେଳକୁ ମହାପ୍ରଭୁଙ୍କ ଗୋଟି ପହଣ୍ଡୀରେ ବୀଜେ କରିବା ସହ ପହଣ୍ଡୀ ଶେଷ ହୋଇଥିଲା । ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା ।

ରାତ୍ର ସମୟରେ ରାହୁ ରେଖା ମଇଲମ କରାଯାଇଥିଲା । ରାହୁ ରେଖା ମଇଲମ ପରେ କୋଠ ସୁଆଁସିଆ ମାନେ ଦଶ ଅବତାର ତାଟି ବାନ୍ଧିବା ପାଇଁ ରାତି ପ୍ରାୟ ୪ ଟାରେ ପ୍ରବେଶ କରିଥିଲେ । ଅପରପକ୍ଷରେ ଶ୍ରୀମନ୍ଦିରରୁ ଘଣ୍ଟ, ଓଲାର, ବୈଜୟନ୍ତି ବାଜା କାହାଳୀ ଏବଂ ଲେଙ୍କା ସେବାୟତ ପଟିଦିଅଁ ଆଣିବା ପାଇଁ ଚିତ୍ରକାର ସେବକଙ୍କ ଘରକୁ ଯାଇଥିଲେ । ଭୋରୁ ପଟିଦିଅଁ ଶ୍ରୀମନ୍ଦିରକୁ ବୀଜେ କରିଥିଲେ। ପରେ କୋଠ ସୁଆଁସିଆ ମାନେ ତାଟି ବାନ୍ଧି ସକାଳେ ବାହାରିଥିଲେ । ପରେ ପଟି ଠାକୁରଙ୍କ ରୁ୍‌‌ନ୍ଧା କାର୍ଯ୍ୟ ଶେଷ ହୋଇଥିଲା । ପ୍ରଥମେ ୧୦ ଅବତାର ଠାକୁର ତାଟି ନିକଟ ଖଟକୁ ବୀଜେ କରିଥିଲେ ।

ଶ୍ରୀ ଜଗନ୍ନାଥଙ୍କ ଅନନ୍ତ ନାରାୟଣ ରୂପରେ ଶ୍ରୀ ବଳଭଦ୍ରଙ୍କ ଅନନ୍ତ ବାସୁଦେବ ରୂପରେ ଏବଂ ଦେବୀ ସୁଭଦ୍ରା ମା ଭୁବନେଶ୍ୱରୀ ରୁପରେ ପଟିଦିଅଁ ଭାବେ ଅଣସର ସମୟରେ ପୂଜିତ ହେବେ । ତେବେ ଦଶ ଅବତାର ବୀଜେ ପରେ ମହାସ୍ନାନ ନୀତି ବଢିଥିଲା ।ପରେ ମଙ୍ଗଳଆଳତୀ , ମଇଲମ , ଅବକାଶ ,ହୋଇ ଅନ୍ୟାନ୍ୟ ନୀତି ବଢିଥିଲା । ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିରରେ ପଟିଦିଅଁକୁ ଦର୍ଶନ କରିଥିଲେ । ଅପରପଟେ ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନ ଅନନ୍ତ ନାରାୟଣ ଭାବରେ ପଟିରେ ସ୍ଥାନିତ ହୋଇଛନ୍ତି । ପଟି ଦିଅଁଙ୍କ ନିକଟରେ ଲାଗିହୋଇଛି ମହାପ୍ରସାଦ । ଦଇତାତିମାନେ ଜ୍ୱରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ଏହି ଅଣସର ସମୟରେ ଶ୍ରୀବିଗ୍ରହମାନେ ଶ୍ୱେତବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ ।

ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ଅଣସର ପିଣ୍ଡିରେ ଗୋଟିଏ ଦୀପକୁ ଛାଡିଦେଲେ ଘନ ଅନ୍ଧକାର ମଧ୍ୟରେ ଚାଲୁରହିଛି ମହାପ୍ରଭୁଙ୍କ ଗୁପ୍ତ ନୀତି ।ଜଗମୋହନରୁ ଅଣସର ଘର ପର୍ପ୍ୟନ୍ତ ନିସିଦ୍ଧାଞ୍ଚଳ କରାଯାଇଛି ।ଦୈନଦିନ ଭଜନ,କୀର୍ତ୍ତନ,ଗୀତ,ଘଣ୍ଟ ଘଣ୍ଟା ,କାହାଳୀ ,ବାଜା ସବୁକୁ ଶ୍ରୀମନ୍ଦିରରେ ନିଷିଦ୍ଧ କରାଯାଇଛି । ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇବାରୁ ବଂଚିତ ହୋଇଥାନ୍ତି ଭକ୍ତ ଓ ସେବାୟତ । କେବଳ ପଟିଦିଅଁଙ୍କୁ ଦର୍ଶନ କରି ସେମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି । ଅନ୍ୟପଟେ ଅଣସର ସମୟରେ ମହାପ୍ରଭୁଙ୍କ ଠାରେ ପଣା ଓ ଚକଟା ଭୋଗ ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅର୍ନ୍ନ ମହାପ୍ରସାଦ ଭୋଗ କରାଯାଉଛି ।

Leave A Reply

Your email address will not be published.