Latest Odisha News

BREAKING NEWS

ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ଅନୁଗୁଳ: ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି । ସୂଚନା ଅନୁସାରେ, ଜରାସିଂହା ପୁରୁଣାସାହିର ବଲେହି ନାଏକଙ୍କ ପୁଅ ଗଦା ନାଏକ ଗାଁ ପାଖରେ ଥିବା ରାଇସ୍ ମିଲ୍‌ରେ କାର୍ଯ୍ୟ କରନ୍ତି। ପ୍ରତ୍ୟକ ଦିନ ଘର ବାହାର ପଟରେ ଶୋଇବାକୁ ଆସନ୍ତି। ଗତକାଲି ଗାଁ ଆଡୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଡ଼ ଭାଇ ବିରଞ୍ଚିଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଯୁକ୍ତିତର୍କ ହୋଇଥିଲା।

ତେବେ ପରେ ଦୁହେଁ ଦୁହିଁଙ୍କ ଘରକୁ ଯାଇ ଖାଇ ସାରି ଶୋଇବାକୁ ଯାଇଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଗଦା ନାଏକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇଛନ୍ତି। ଏହା ଦେଖି ଗଦାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ଘର ପାଖ ଲୋକ ଆସି ଦେଖିଲା ବେଳକୁ ଗଦାଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ସଦର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । କେତେବେଳେ ଏଭଳି କାଣ୍ଡ ଘଟିଛି ତାହା କେହି ଜାଣିବା ପୂର୍ବରୁ ଗଦାଙ୍କର ମୃତ୍ୟୁ ହୋଇସାରିଥିଲା।

ଅନ୍ୟପଟେ ବିରଞ୍ଚି ମଧ୍ୟ ଘଟଣାସ୍ଥଳରେ ଅନୁପସ୍ଥିତ ଅଛନ୍ତି।  ତେବେ ବିରଞ୍ଚି ଟାଙ୍ଗିଆରେ ହାଣି ଗଦାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାଟି କିପରି ଘଟିଛି ଏବଂ ପ୍ରକୃତ ଅପରାଧୀ କିଏ ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ପରିବାର ଲୋକେ ବିରଞ୍ଚି ବିରୋଧରେ ଅଭିଯୋଗ କରିଛନ୍ତି।

Comments are closed.