ଭୁବନେଶ୍ୱର: ମାଓ ମୁକ୍ତ ହୋଇଛି ଓଡିଶା। ଆଉ ଅଛନ୍ତି ମାତ୍ର ହାତଗଣତି ମାଓବାଦୀ। ଓଡିଶାକୁ ଆଉ ନାହିଁ ମାଓ ବିପଦ। ନକ୍ସଲମୁକ୍ତ ଭାରତ ଅଭିଯାନ ଡେଡଲାଇନର ଶେଷ ଦିନରେ ଆଣ୍ଟିନକ୍ସଲ ଅପରେସନରେ ଡିଜି ଦେଇଛନ୍ତି ବଡ଼ ସୂଚନା। ମାଓ ଦମନ ନେଇ ଟାର୍ଗେଟ୍ରେ ସଫଳ ହୋଇଛୁ କହିଲେ ADG ସଞ୍ଜୀବ ପଣ୍ଡା।
ଓଡ଼ିଶାକୁ ଆଉ ମାଓ ବିପଦ ନାହିଁ କହିଲେ ଆଣ୍ଟି ନକ୍ସଲ ଅପରେସନ୍ ADG। ADGଙ୍କ କହିବା ଅନୁସାରେ, ‘୧୫୬ ମାଓବାଦୀଙ୍କୁ ନିପାତ ଓ ଆତ୍ମସମର୍ପଣ କରାଇବାରେ ସଫଳ ହୋଇଛୁ। ୨୭ ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛୁ। ୯ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେହିପରି ୭୮ ଜଣ ମାଓବାଦୀ ଓଡ଼ିଶାରେ ଆତ୍ମସମର୍ପଣ କରିଛନ୍ତି। ଆଉ ୪୨ ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ଓଡ଼ିଶାର ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା। ଏଥିରୁ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇ ସାରିଛି। ଅନ୍ୟପଟେ ମାଓ ଅପରେସନ୍ରେ ୨୩୯ ଜଣ ଯବାନ ସହିଦ ହୋଇଛନ୍ତି।’
ADG ସଞ୍ଜୀବ ପଣ୍ଡା ଆହୁରି କହିଛନ୍ତି, ‘୩୫୯ ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ଆଜି ଆତ୍ମସମର୍ପଣ ନେଇ ଥିବା ସମୟସୀମା ଶେଷ ହୋଇଛି। କାଲିଠାରୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ। ଯେଉଁ ହାତ ଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରିବୁ। ସେମାନେ ଓଡ଼ିଶାରେ ମାଓ ରିକ୍ରୁଟ କରିବାରେ ସଫଳ ହୋଇ ନାହାନ୍ତି। ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ମାଓ ଅପରେସନ ଜାରି ରହିବ। ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଉଛି। ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି କହିଛନ୍ତି ଏଡିଜି।