Latest Odisha News

BREAKING NEWS

୬ ମାସରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ, ପ୍ରସ୍ତୁତ ରୁହ: ପାଓ୍ୱାର

ମୁମ୍ବାଇ: ବାଚସ୍ପତି ନିର୍ବାଚନରେ ମହାବିକାଶ ଅଘାଡି ଚିତ୍ ହେବା ପରେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ସିନ୍ଦେ ସରକାର ୬ ମାସ ମଧ୍ୟରେ ଭାଙ୍ଗିଯିବ। ରାଜନୀତିର ଚାଣକ୍ୟ ତଥା ଦେଶର ଏହି ଭେଟେରାନ ନେତାଙ୍କ ଏପରି ବୟାନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପାଓ୍ୱାର ରବିବାର ଏନସିପି ବିଧାୟକ ତଥା ଦଳର ଅନ୍ୟ ନେତାମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ମହାରାଷ୍ଟ୍ରରେ ନବ ଗଠିତ ସରକାର ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିଯାଇପାରେ । ତେଣୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ ହେବା ଉଚିତ।

“ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକ ସାମ୍ପ୍ରତିକ ବ୍ୟବସ୍ଥାରେ ଖୁସି ନୁହଁନ୍ତି। ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରାଯିବା ପରେ ସେମାନଙ୍କର ଅସନ୍ତୋଷ ସାମ୍ନାକୁ ଆସିବ। ଯାହାଫଳରେ ଶେଷରେ ସରକାରର ପତନ ହେବ।”

ପାୱାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ସରକାରର ପତନ ପରେ ଅନେକ ବିଦ୍ରୋହୀ ବିଧାୟକଙ୍କୁ ସେମାନଙ୍କ ମୂଳ ପାର୍ଟିକୁ ଫେରିବା ପାଇଁ ବାଟ ପ୍ରଶସ୍ତ ହେବ। ତେଣୁ ଏବେଠୁ ଏନସିପି ବିଧାୟକଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ବିତାଇବାକୁ କହିଛନ୍ତି ପାଓ୍ୱାର।

ଅନ୍ୟପକ୍ଷରେ, ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଉପଯୁକ୍ତ ସାମ୍ବିଧାନିକ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ ବୋଲି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ରବିବାର ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବିଜେପିର ରାହୁଲ ନର୍ବେକର ଗୃହର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ (ଶିବସେନା)  ଏବଂ ବିଜେପିର ସମର୍ଥନରେ ରାହୁଲ ନର୍ବେକର ବିଜୟୀ ହୋଇଛନ୍ତି। ନର୍ବେକରଙ୍କୁ ୧୬୪ ଭୋଟ ମିଳିଥିଲା ​। ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରିଥିଲେ। ସାଲଭି ୧୦୭ ଭୋଟ ପାଇଥିଲେ।

Leave A Reply

Your email address will not be published.