Latest Odisha News

BREAKING NEWS

ଦେଶର ନାମ ଇଣ୍ଡିଆ ନରଖାଯାଇ ଭାରତ ହେଉ, କିଏ ଓ କାହିଁକି ଏପରି ଦାବି କଲେ ?

ଭୁବନେଶ୍ୱର: ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ରହିଛି । ଏପରି ଦୁଇଟି ନାମ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ । ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ଅବସରରେ ଯୋଗ ଦେଇ ଏପରି କହିଛନ୍ତି।

ସ୍ୱାମୀଜୀ କହିଛନ୍ତି, ସମସ୍ତ ଦେଶବାସୀ ନିଜର ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ହିନ୍ଦୀରେ କଥା ହୁଅନ୍ତୁ ବୋଲି ଅନୁରୋଧ କରିଥିଲେ। ଜନ୍ମ ହେବାର ମାତ୍ର ଦୁଇ ମାସ ପରେ ତାଙ୍କର ଆଖି ନଷ୍ଟ ହୋଇଯାଇଥିବା ବେଳେ ସ୍ୱାମୀଜୀ ପାଠପଢି ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଥିଲେ । ୯ଟି ଗୋଲ୍ଟ ମେଡାଲ୍ ହାସଲ କରିଥିଲେ। ପିଏଚ୍‌ଡି ଏବଂ ଡିଲିଟ୍ ଡିଗ୍ରୀ ହାସଲ କରିଥିଲେ । ୨୨ଟି ଭାଷା ସେ କଥା କହିପାରନ୍ତି ଏବଂ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗଙ୍କ ଲାଗି ବିଶ୍ୱବିଦ୍ୟାଳୟ ସେ ପ୍ରତିଷ୍ଠା କରିଛନ୍ତି । ଏସବୁ କେବଳ ନିଜର ଉଦ୍ୟମ ଯୋଗୁଁ ସମ୍ଭବ ବୋଲି ସେ କହିଥିଲେ।

ସୋଆ ବିଶ୍ୱବିଦ୍ୟାଳୟର ଏବଂ ଏହାର ଛାତ୍ର-ଛାତ୍ରୀଙ୍କୁ ତିନୋଟି ଉପଦେଶ ଦେଇ ସ୍ୱାମିଜୀ ସୋଆରେ ହିନ୍ଦୀ ଶିକ୍ଷାର ପ୍ରଚଳନ ହେଉ, ନିଷ୍ଠାର ସହ କାର୍ଯ୍ୟ ହେଉ ଏବଂ କାର୍ଯ୍ୟର ଆନନ୍ଦ ଭଗବାନ ରାମଙ୍କୁ ସମର୍ପିତ କରାଯାଉ ବୋଲି କହିଥିଲେ । ଏପରି କଲେ ସୋଆ ଆର୍ନ୍ତଜାତିକ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଲାଭ କରିପାରିବା ବୋଲି ସେ କହିଥିଲେ। ଓଡିଆରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିବା ସ୍ୱାମିଜୀ ଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଗାନ କରି ବକ୍ତବ୍ୟ ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରସାହିତ୍ୟ ଏକାଡେମୀ ର ମୁଖ୍ୟ ସଚିବ ଡକ୍ଟର କେ. ଏସ୍ ରାଓ ବକ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.