Latest Odisha News

BREAKING NEWS

ଢେଙ୍କାନାଳରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ପ୍ରଭାବ ପଡ଼ିବ ନାହିଁ: ବିଜେଡି ବିଧାୟକ

ଭୁବନେଶ୍ୱର: ଦୁଇ ଥରର ରାଜ୍ୟସଭା ସାଂସଦ, ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢ଼ିବେ। ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେବା ବେଳେ ନିଜେ ନିର୍ବାଚନ ଲଢ଼ିବେ ବୋଲି କହିବା ପରେ ସେ ଏବେ କେଉଁଠୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଟ୍ଟା ଚାଲିଛି। ତେବେ କିଛି ଦିନ ହେବ ନିଜ ଜିଲ୍ଲା ଢେଙ୍କାନାଳକୁ ଧର୍ମେନ୍ଦ୍ର ପ୍ରଧାନ ଘନ ଘନ ଗସ୍ତ କରିବା କ୍ଷେତ୍ର ପ୍ରସ୍ତୁତି ପାଇଁ ରଣନୀତି ତିଆରି ଚାଲିଛି ବୋଲି କୁହାଯାଉଛି। ସେପଟେ ୨୩ ତାରିଖରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲା ଗସ୍ତରେ ଆସିବା ନେଇ ସୂଚନା ମିଳିବା ପରେ ଧର୍ମେନ୍ଦ୍ର ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ନିକଟରେ ଢେଙ୍କାନାଳରେ ବାଜି ରାଉତ କପ୍ ଆୟୋଜନ କରି ଯୁବପିଢୀଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ କେନ୍ଦ୍ରମନ୍ତ୍ରୀ। ଏଥିରେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଯୋଗ ଦେଇଥିଲେ। ସେହିପରି ରେଳ ଲାଇନ୍ ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅଶ୍ୱିନୀ ବୈଷ୍ନବ ମଧ୍ୟ ଆସିଥିଲେ। ଆଉ ଧର୍ମେନ୍ଦ୍ରଙ୍କ ରଣନୀତି ଦେଖି ଅନେକ ଏବେ ତାଙ୍କ ରଣନୀତିକୁ ମଧ୍ୟ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଏହାବାଦ କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ଢେଙ୍କାନାଳ, ଅନୁଗୁଳ ସହିତ ରାଜ୍ୟରେ ଅନେକ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରି ସକ୍ରିୟ ରଖିବାରେ ତାଙ୍କର ଗୋଟିଏ ବଡ଼ ଭୂମିକା ରହିଛି।

           ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ଯାରିଅର

  • ବିଧାନସଭା, ଲୋକସଭା ପରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି
  • ପ୍ରଥମେ ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି
  • ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଅନୁଗୁଳ ପାଳଲହଡ଼ାରୁ ବିଧାୟକ ହୋଇଥିଲେ
  • ୨୦୦୯ରେ ଦେବଗଡ଼ ଲୋକସଭା ଆସନରୁ ଲୋକସଭା ଯାଇଥିଲେ
  • ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ

ତେବେ ବିଜେପିର ଏପରି ପ୍ରସ୍ତୁତି ଦେଖି ପ୍ରତିକ୍ରିୟା ରଖିଛନ୍ତି ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ସାହୁ। ସେ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ଗଣିତ ଦେଖାଇ କହିଛନ୍ତି, ଜିଲ୍ଲାରେ ବିଜେଡି ମଜବୁତ ଅଛି। ତେଣୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ମଧ୍ୟ କୌଣସି ଫରକ ପଡ଼ିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ଥରେ ନିର୍ବାଚିତ ହେଲେ ଦ୍ଵିତୀୟ ଥର ନିର୍ବାଚିତ ହୋଇ ଆସି ପାରାନ୍ତିନି। ଏହା ତାଙ୍କ ଚରିତ୍ର। ତାଙ୍କର କିଛି ପ୍ରଭାବ ପଡିବ ନାହିଁ। ଜିଲ୍ଲା ପରିଷଦ ନିର୍ବାଚନରେ ୨୮ ରୁ ୨୭ଟିରେ ବିଜେଡି ଜିତିଛି। ଗୋଟେ ଜିତିଛି ବିଜେପି। ଏଥିରୁ ସ୍ପଷ୍ଟ ବିଜେପି ପ୍ରତି ସମର୍ଥନ ନାହିଁ। ତେଣୁ ଢେଙ୍କାନାଳରେ ଧର୍ମେନ୍ଦ୍ରଙ୍କର କିଛି ପତିଆରା ନାହିଁ ବୋଲି ସେ କହିଛନ୍ତି।

ତୃଣମୂଳ ସ୍ତରରେ ପ୍ରଧାନଙ୍କର କୌଣସି ପ୍ରଭାବ ନାହିଁ। ପୂର୍ବରୁ ବି ଅମିତ ଶାହା ଆସିଛନ୍ତି ପ୍ରଭାବ ପଡିନି। ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଲଢ଼ିବା ନେଇ ଶୁଣା ଯାଉଛି। କିନ୍ତୁ ସେ ନିର୍ଣ୍ଣୟ କରି ପାରୁନାହାନ୍ତି କେଉଁଠୁ ଲଢ଼ିବେ ବୋଲି ବିଜେଡି ବିଧାୟକ କହିଛନ୍ତି।

 

Comments are closed.