Latest Odisha News

BREAKING NEWS

୧୯ ବର୍ଷରୁ କମ ବିଶ୍ୱକପରୁ ସିନିୟର ଟିମରେ ଷ୍ଟାର ସାଜିଥିବା ଖେଳାଳି

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୪ ବର୍ଷ ତଳେ ଭାରତ କଲମ୍ବୋରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଥର ଏହି ଟ୍ରଫି ହାସଲ କରିଥିଲା । ଏବେ ୫ମ ଥର ପାଇଁ ଟାଇଟଲ ଜିତିବା ପାଇଁ ପଡିଆକୁ ଓହ୍ଲାଇବ । ୨୦୦୪ରେ ମହମ୍ମଦ କୈଫଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଥିବା ଭାରତ ୨୦୦୮ରେ ବିରାଟ କୋହଲି, ୨୦୧୨ରେ ଉନ୍ମୁକ୍ତ ଚାନ୍ଦ ଓ ୨୦୧୮ରେ ପୃଥ୍ୱୀ ଶଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଥିଲା । ଏବେ ୟଶ ଧୂଲ ଏହି ଧାରାରେ ସାମିଲ ହେବେ ବୋଲି ସମସ୍ତେ ଆଶା କରି ବସିଛନ୍ତି ।

୨୦୦୮ରେ କୋହଲି ତାଙ୍କ ଅଧିନାୟକ ଦକ୍ଷତା ଓ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ଏବେ କୋହଲି ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରି ଚାଲିଛନ୍ତି । ସେହିପରି ୨୦୦୦ରେ ବିଜୟୀ ଭାରତୀୟ ଦଳର ସଦସ୍ୟ ଯୁବରାଜ ସିଂ ଏହା ପରେ ସିନିୟର ଟିମକୁ ମଧ୍ୟ ୨ ଥର ବିଶ୍ୱ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୨୫ ବଲରୁ ଧୂଆଁଧାର ୫୮ ରନ କରିଥିଲେ । ସେ ଭାରତ ପକ୍ଷରୁ ୪୦ ଟେଷ୍ଟ, ୩୦୪ ଦିିନିକିଆ ଓ ୫୮ ଟି୨୦ ମ୍ୟାଚ ଖେଳିଛନ୍ତି ।

ଶିଖର ଧାୱନ ୨୦୦୪ ବିଶ୍ୱକପରେ ଦଳର ସଦସ୍ୟ ଥିଲେ । ସିନିୟର କ୍ରିକେଟରେ ସେ ଟେଷ୍ଟ ପଦାର୍ପଣରେ ଦ୍ରୁତ ଶତକ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେ ଟିମ ଇଣ୍ଡିଆ ତରଫରୁ ୩୪ ଟେଷ୍ଟ, ୧୪୮ ଦିିନିକିଆ ଓ ୬୮ ଟି୨୦ ମ୍ୟାଚ ଖେଳିଛନ୍ତି । ପୃଥ୍ୱୀ ଶଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ଟାଇଟଲ ଜିତିଥିଲା ।

ଏହି ଟୁର୍ଣ୍ଣାମେଂଟରେ ଶୁଭମନ ଗିଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ଏହା ପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ଅବଶ୍ୟ ତାଙ୍କ ଗ୍ରାଫ ଏତେଟା ଉପରକୁ ଯାଇ ପାରି ନ ଥିଲା । ଏବେ ଶୁଭମନ ଗିଲ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

Leave A Reply

Your email address will not be published.