Latest Odisha News

BREAKING NEWS

ସେମାନେ ଥିଲେ ସ୍ୱାଧୀନତା ସଂଗ୍ରାମୀ

ମୌସୁମୀ ଦାସଙ୍କ ସ୍ମୃତିଲିପି

ସନ ଉଣେଇଶ ଶହ ସତଚାଳିଶ, ଅଗଷ୍ଟ ଚଉଦ ତାରିଖର ଶେଷ ମୁହୂର୍ତ୍ତ ସରିଲା ଠିକ୍ ରାତି ଏଗାରଟା ଅଣଷଠି ମିନିଟରେ। ଏବଂ, ବହୁ ଆକାଂକ୍ଷିତ ପନ୍ଦର ତାରିଖର ଶୁଭ କ୍ଷଣ ଆରମ୍ଭ ହେଲା ଠିକ୍ ମଧ୍ୟରାତ୍ରୀ ବେଳେ, ଯେତେବେଳେ ଗୀର୍ଜା ଘଣ୍ଟାରେ ବାଜିଲା ଢଂ ଢଂ ହେଇ ବାର। ଲାଲ୍ କିଲ୍ଲାର ସୁଉଚ୍ଚ ଶିଖରରେ ସ୍ୱାଧୀନତାର ଜୈତ୍ର-ନେତ ତିନି ରଙ୍ଗରେ ଉଦ୍ଭାସିତ ହେଇ ଫର୍ ଫର୍ ଉଡ଼ିଲା, ନାଚି ଉଠୁଥିଲା ସାରା ଦେଶ। ଆଉ, ଖୁବ୍ ଉତଫୁଲ୍ଲିତ ଚିତ୍ତରେ ଭାବବିଭୋର ହେଇ ଉତ୍ସବ ମନୋଉଥିଲେ ଅନ୍ୟ ସାଥୀ କର୍ମୀମାନଙ୍କ ସହିତ ଏଇ ଦମ୍ପତ୍ତି ବି, ଯିଏ ଏକ ଜାତି ଧର୍ମ ବର୍ଣ୍ଣ ନିର୍ବିବାଦରେ ମାନବବାଦର ଧର୍ମ ପାଳନ କରି ଉନ୍ନତ ଚିନ୍ତାଧାରାର ପ୍ରତୀକ ସାଜି ସାଂସାରିକ ବନ୍ଧନରେ ବାନ୍ଧି ହେଇଥିଲେ ସ୍ୱୟଂ ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦରେ ମାତ୍ର କିଛି ବର୍ଷ ତଳେ।

ଏଇ ସ୍ୱାମୀ ସ୍ତ୍ରୀ ଉଭୟ, ବିବାହ ସତ୍ତ୍ୱେ, ଦେଶ ସ୍ଵାଧୀନ ହେବା ପର୍ଯ୍ୟନ୍ତ ଶୁଦ୍ଧପୂତ ବ୍ରହ୍ମଚର୍ଯ୍ୟ ଆଚରଣ ପାଇଁ ଶପଥ ନେଇ ଦେଶ ମାତୃକା ପାଇଁ ଉତ୍ସର୍ଗ କରି ଦେଇ ଥିଲେ ଆପଣାକୁ। ହଁ, ସେ ଦୁଇ ମହାନ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀ ହେଲେ ମୋ’ ଜେଜେବାପା ସ୍ବର୍ଗତ ରାମ ମୋହନ ଦାସ୍ ଏବଂ ମୋ’ ଜେଜେମାଆ ଶ୍ରୀମତୀ କେତକୀ ଦେବୀ।

ଗଂଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜାମଗୋରଡ଼ା ଗ୍ରାମରେ ୧୯୧୯ ମସିହାରେ ଜନ୍ମିତ ରାମମୋହନଙ୍କ ପିତା ସ୍ବର୍ଗତ ହରେକୃଷ୍ଣ ଦାସ୍ କରଣ ଜମିଦାର ଥିଲେ। ପାଞ୍ଚ ପୁତ୍ର ଓ ଦୁଇ କନ୍ୟାଙ୍କ ଭିତରେ ମଧ୍ୟମ ସନ୍ତାନ ଥିଲେ ରାମମୋହନ। ଛୋଟ ବେଳୁ ହିଁ ତାଙ୍କ ଭିତରେ ପରିଦୃଷ୍ଟ ହେଇ ଥିଲା ପରାଧୀନ-ବିମୁଖତା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଦିନେ କାହାରିକୁ କିଛି ନ ଜଣେଇ ଘର ଛାଡ଼ି ଭଞ୍ଜନଗର ଚାଲି ଯାଇଥିଲେ, ସେଠି କଂଗ୍ରେସ ଭବନରେ ପହଞ୍ଚି ବାନରସେନାଙ୍କ ଦଳରେ ମିଶି ଯାଇଥିଲେ। ରାମମୋହନଙ୍କୁ ବହୁ ଖୋଜାଖୋଜି କରି ଶେଷରେ ତାଙ୍କ ଭାଇ ଓ ବାପା ଭଞ୍ଜନଗରରୁ ଠାବ କଲେ। କିନ୍ତୁ, ସେ ମାଆ କମଳାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଦେଲେ ଯେ, ସେ କେବଳ ତାଙ୍କର ପୁତ୍ର ନୁହନ୍ତି, ସେ ଭାରତ ମାଆର ବି ପୁଅ। ମା’ କୁ ବାନ୍ଧି ରଖା ହେଇଛି। ସେ ନାନା କଷଣ ସହି କାନ୍ଦୁଛି। ମାଆକୁ ନ ମୁକୁଳେଇବା ଯାଏଁ ସେ ଘରକୁ ଫେରିବେନି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କଂଗ୍ରେସ ଭବନରୁ ତାଙ୍କର ସଂଗ୍ରାମୀ ଜୀବନର ଆରମ୍ଭ ହେଲା।

ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ରାମମୋହନ ବିଦେଶୀ ବସ୍ତ୍ର ବର୍ଜ୍ଜନ, ସ୍ବଦେଶୀ ଗ୍ରହଣକୁ ମନ୍ତ୍ର ଭାବେ ଗ୍ରହଣ କରି ଆଜୀବନ ଚଳୁଥିଲେ। ନିଜେ ଅରଟରେ ସୂତା କାଟିବା , ଗ୍ରାମସେବା କରିବାକୁ ଆଦରି ନେଇଥିଲେ ଜେଜେବାପା। ବିଦେଶୀ ସାମଗ୍ରୀ ଦୋକାନ ଓ ମଦ ଦୋକାନ ଆଗରେ ପିକେଟିଂ କରି ଏବଂ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ସେ ବହୁବାର ଜେଲ ଯାଇଥିଲେ। ଇଂରେଜ ସରକାରଙ୍କ ପୋଲିସର ଅକଥନୀୟ ଅତ୍ୟାଚାର ସହି ଦେଶମାତୃକାର ଜୟଗାନ କରୁଥିଲେ। ନିଜେ ଅନେକ ଉଦବୋଧନୀ ସଙ୍ଗୀତ ରଚନା କରି ସେ ଗାନ କରୁଥିଲେ ଓ ଜନତାଙ୍କ ଭିତରେ ଜାଗରଣ ସୃଷ୍ଟିର ପ୍ରୟାସ କରୁଥିଲେ। ବ୍ରହ୍ମପୁର ଜେଲରେ ରହଣି ସମୟରେ ମହାନ ଶହୀଦ ଲକ୍ଷ୍ମଣ ନାୟକଙ୍କ ପାଖ ସେଲରେ ଜେଜେବାପା ରହିଥିଲେ। ଲକ୍ଷ୍ମଣ ନାୟକଙ୍କୁ ଗଭୀର ରାତିର ନିସ୍ତବ୍ଧ ପ୍ରହରରେ ଫାଶୀ ଦିଆଗଲା। ଜେଜେଙ୍କ ସମେତ କାରାଗାରର ଅନ୍ୟ ଅନ୍ତେବାସୀ ସଂଗ୍ରାମୀମାନେ ସକାଳେ ଏଇ ଖବର ପାଇ ଗଭୀର ମନ କଷ୍ଟ କରିଥିଲେ ଏବଂ ଦିନସାରା ଅନଶନ ପାଳନ କରିଥିଲେ।

ସେହି ସମୟରେ ପୋଲିସର ଲାଠିମାଡ଼ କେବଳ ନୁହେଁ, ଆହୁରି ମଧ୍ୟ ଅନେକ ଅକଥନୀୟ ଯନ୍ତ୍ରଣା ସହିବାକୁ ପଡ଼ିଥିଲା ତାଙ୍କୁ। ତଥାପି, ଜେଜେ ଓ ତାଙ୍କ ସହକର୍ମୀମାନେ ଗାନ୍ଧିଜୀଙ୍କ ପ୍ରତିଟି ବାକ୍ୟକୁ ମନ୍ତ୍ର ମାନି , ଆଦେଶ ମାନି ଅହିଂସା ସଂଗ୍ରାମରେ ଅବିଚଳିତ ରହିଥିଲେ। ଜେଜେବାପାଙ୍କ ଠାରୁ ଛୋଟବେଳେ ସ୍ଵରାଜ ଆନ୍ଦୋଳନ ସମୟର ବହୁତ କଥା ଶୁଣୁଥିଲୁ ଆମେ, ମୁଁ ଓ ମୋ ସାନ ଭଉଣୀ ଖୁବ୍ ମନଯୋଗ ଦେଇ। ଜେଜେବାପା ଦେଖାଇ ଦେଇଥିଲେ ପୋଲିସ ଅତ୍ୟାଚାରର ଦାଗସବୁ ତାଙ୍କ ଦେହରେ, ଆମ ଆଖି ଲୁହରେ ଭରି ଯାଉଥିଲା। ଓଡ଼ିଶାର ବରପୁତ୍ର ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ, ମାଆ ରମାଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖଙ୍କ ସହିତ ଉଭୟ ଜେଜେମାଆ ଓ ଜେଜେବାପା କାମ କରିଥିଲେ। ବରୀ ଆଶ୍ରମରେ ଅନେକ ବର୍ଷ ରହି କାମ କରୁଥିଲେ।

ଜେଜେମାଆ ଗଂଜାମ ଜିଲ୍ଲା ଚିକିଟି ଗ୍ରାମର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲା। ମାତ୍ର ବାର ବର୍ଷ ବୟସରେ ସେ ଗ୍ରାମ ତ୍ୟାଗ କରି ସେତେବେଳେ ସ୍ବଦେଶୀ ଆନ୍ଦୋଳନରେ ଭାଗ ନେଇ, ମୌଳିକ ଶିକ୍ଷା ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲା। ଚୁନିଅପା(ଅର୍ଣପୂର୍ଣା ମହାରଣା)ଙ୍କ ସହିତ ଅନେକ ବର୍ଷ ରହି ସ୍ଵଦେଶୀ ଆନ୍ଦୋଳନରେ ନିଜର ଭୂମିକା ତୁଲେଇ ଥିଲା ମାଆ। ତା’ପରେ ଗାନ୍ଧୀଜୀଙ୍କ ପ୍ରତିଷ୍ଠିତ ଓ୍ଵାର୍ଦ୍ଧା ଆଶ୍ରମରେ ରହି ସୂତାକଟା, ଖଦୀ ବସ୍ତ୍ର ବୟନ କରିବା ଇତ୍ୟାଦି ମାଧ୍ୟମରେ ବିଦେଶୀ ସରକାରଙ୍କ ବିରୋଧରେ ଅହିଂସା ସଂଗ୍ରାମରେ ରତ ରହିଥିଲା। ବାପୁଜୀ ଏକ ଜାତି -ଧର୍ମ-ବର୍ଣ୍ଣ ରହିତ ସମାଜର ପରିକଳ୍ପନା କରିଥିଲେ। ଏଥିଲାଗି ସ୍ୱତନ୍ତ୍ରତା ସଂଗ୍ରାମୀ ନାରୀ ଓ ପୁରୁଷଙ୍କ ଭିତରେ ହିଁ ବିବାହ ଆୟୋଜନ କରାଯାଇଥିଲା। ସେଇ ନୀତି ଅନୁସରଣରେ ମୋ ଜେଜେବାପା ଓ ଜେଜେମାଆ ଉଭୟ ଭିନ୍ନ ଜାତିର ହେଲେ ହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ। ମହାତ୍ମାଙ୍କ ଆଶୀର୍ବାଦରେ ଏହି ବିବାହ ଅନୁଷ୍ଠିତ ହେଇଥିଲା ଏବଂ, ଉଭୟେ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଦେଶସେବାକୁ ହିଁ ମୁଖ୍ୟ ବ୍ରତ ଭାବେ ଗ୍ରହଣ କରିନେଇ ବ୍ରହ୍ମଚର୍ଯ୍ୟ ପାଳନ କରିବାର ଶପଥ ପାଳନ କରିଥିଲେ।

ସ୍ୱାଧୀନତା ପ୍ରାପ୍ତିର ଅଫୁରନ୍ତ ଖୁସି ଦୁହିଁଙ୍କୁ କରିଦେଇଥିଲା ବିଭୋର। ଜେଲରୁ ମୁକୁଳିଥିଲେ ଜେଜେବାପା। ଜେଜେମାଆଙ୍କ ସହିତ ସାଂସାରିକ ଜୀବନଯାପନ ଆରମ୍ଭ କରିଥିଲେ। ଉଭୟଙ୍କ ଚିନ୍ତାଧାରା ସମାନ ହେଇଥିବାରୁ, ଦୁହେଁ ଜନସେବାକୁ ଆପଣେଇ ନେଇ ସ୍ୱାବଲମ୍ବ ଜୀବନ ଜୀଇଁବାର ପ୍ରୟାସ କରିଥିଲେ। ଜେଜେବାପାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳୁଥିଲା। ଗଂଜାମ ଜିଲ୍ଲାର ଛତ୍ରପୁର ଠାରେ ଛୋଟ ଏକ ଘର ତିଆରି କରି ସେଠାରେ ଆରମ୍ଭ କରିଥିଲେ ସମାଜ ସେବା। ତା’ ସହିତ, ଖଦୀର ପ୍ରସାର ଓ ପ୍ରଚାର ଦିଗରେ ଯୋଗଦାନ ଦେଇ ଗାନ୍ଧିଜୀଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଚାଲିବାକୁ ଲାଗିଲେ। ଏଇ ସମୟରେ ଅନେକ ଅନାଥ ଅସହାୟ ଶିଶୁଙ୍କୁ ସହାୟତା ଦେବା ସହିତ ପଢ଼ିବାକୁ ଇଚ୍ଛୁକ କିନ୍ତୁ ଅର୍ଥାଭାବରୁ ପଢ଼ି ପାରୁ ନଥିବା ପିଲାଙ୍କୁ ସାହାଯ୍ୟ କରିବା ଦୁହିଁଙ୍କ ବ୍ରତ ଥିଲା। ଏପରିକି ଜେଜେବାପା ଗୋଟେ ଅନାଥ ଶିଶୁକୁ ଆଣି ଲାଳନପାଳନ କରିଥିଲେ। ପିଲାଟି ସାମାଜିକ ଭାବେ ଅଚ୍ଛବ ବୋଲି ଗଣା ଯାଉଥିବା ଏକ ସମ୍ପ୍ରଦାୟର ଥିଲା। କିନ୍ତୁ ଜେଜେବାପା ଓ ଜେଜେମାଆ ତା’କୁ ନିଜର ଜ୍ୟେଷ୍ଠ ସନ୍ତାନ ଭାବରେ ସ୍ନେହ ଓ ଅଧିକାର ଦେଇଥିଲେ। ଜଣେ ଆଦିବାସୀ କିଶୋର ଅର୍ଥାଭାବରୁ ଅଧାରୁ ପାଠ ଛାଡି ଦେଉଥିଲା ବେଳେ ଜେଜେବାପା ନିଜର ସୀମିତ ଆୟ ସତ୍ତ୍ୱେ ତାଙ୍କର ଅଧ୍ୟାୟନର ସମସ୍ତ ଦାୟିତ୍ୱ ବହନ କରିବା ସହିତ , ତାଙ୍କୁ ମଧ୍ୟ ପୁତ୍ରର ସ୍ଥାନ ଦେଇଥିଲେ। ମୋ ବାପା ଏକମାତ୍ର ସନ୍ତାନ ଥିଲେ ହେଁ, ଜେଜେବାପା , ମାଆ ଉଭୟ ବହୁତ ପୁଅ ଝିଅଙ୍କୁ ଧର୍ମସନ୍ତାନ ଭାବେ ଗ୍ରହଣ କରି ସେମାନଙ୍କର ସବୁ ଦାୟିତ୍ୱ ନେଇ ମଣିଷ କରିଥିଲେ। ଖାଲି ସେତିକି ନୁହେଁ, କୁଷ୍ଠ ରୋଗୀଙ୍କ ସେବା ଶୁଶ୍ରୁଷା କରିବା, ରୋଗ ବେମାରରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ସହିତ ଜେଜେମାଆ ନାରୀ ଶିକ୍ଷା, ନାରୀ ସ୍ୱାବଲମ୍ବନଶୀଳତା ପ୍ରତି ଗୁରୁତ୍ୱ ଦେଉଥିଲା।

ଜେଜେମାଆ ମାନବସେବା ହିଁ ମାଧବସେବା ବୋଲି ସର୍ବଦା ମାନୁଥିଲା। ଜେଜେମାଆ ଜଣେ ଖୁବ୍ ସଂସ୍କୃତି ସଂପନ୍ନା ଧର୍ମପରାୟଣା କିନ୍ତୁ ଚିନ୍ତାଧାରାରେ ପ୍ରଗତିଶୀଳା ମହିଳା ଥିଲେ। ତାଙ୍କ ଘରକରଣା ଯେତିକି ପ୍ରଶଂସନୀୟ ଥିଲା , ତାଙ୍କ ଆଧ୍ୟାତ୍ମିକତା ବି ସେତିକି ଉଚ୍ଚତର ଥିଲା। ସାମାଜିକ କୁପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା, ଅନ୍ୟାୟ ଅନୀତି ବିରୋଧରେ ପ୍ରତିବାଦ କରି ଦୃଢ଼ ଭାବେ ଠିଆ ହେବା, ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେବା ସହିତ ପୁଅ ଝିଅ ସଭିଙ୍କୁ ସମଦୃଷ୍ଟିରେ ଦେଖିବା ଦୁହିଁଙ୍କର ଆଦର୍ଶ ଥିଲା। ଆମ ଦୁଆରୁ କୌଣସି ଲୋକ କେବେ ଭୋକିଲା ଫେରିବା ଆମେ ଦେଖିନୁ। ନିଜେ ପଛେ ନ ଖାଇବେ, କିନ୍ତୁ ଦୁଆରେ ଖାଦ୍ୟ ଆଶାୟୀଙ୍କୁ ଯେମିତି ହେଉ ଖାଦ୍ୟ ଖୁଆଉଥିଲେ ଏହି ଦୁଇ ପ୍ରାଣୀ। ଜେଜେମାଆ ସୁନ୍ଦର ଚିତ୍ର ଓ ମୂର୍ତ୍ତି ତିଆରି କରି ପାରୁଥିଲା।ତା’ ହାତ ଅଙ୍କା ଚିତ୍ର, ଏମ୍ବ୍ରଡୋରୀ ଓ ମୂର୍ତ୍ତି ଅନେକ ସମୟରେ ଆସି ଦାଶିଆ ଅଜା ତାଙ୍କ ସ°ଗ୍ରହାଳୟ ପାଇଁ ନେଇ ଯାଉଥିଲେ। ଦାଶିଆ ଅଜା ଜେଜେବାପା ଜେଜେମାଆଙ୍କର ପରମ ମିତ୍ର ଥିଲେ। ମୋର ମନେ ଅଛି, ପ୍ରତି ଦୁଇ ତିନି ମାସରେ ଥରେ ସେ ନିଶ୍ଚୟ ଆମ ଘରକୁ ଆସୁଥିଲେ। ଜେଜେମାଆ ଜେଜେବାପା ଓ ସେ ଆମକୁ ଛୋଟ ଥିଲା ବେଳେ ସ୍ଵାଧୀନତା ସ°ଗ୍ରାମର ଅନେକ କଥା କାହାଣୀ ଛଳରେ କହୁଥିଲେ, ଯାହା ଆଜିଯାଏଁ ଆମର ସ୍ମୃତିରେ ସଜୀବ ହେଇ ରହିଛି।

ପରପ୍ରାଣୀଙ୍କ ହିତ ଚିନ୍ତା କରିବା, ଦେଶକୁ ନିବିଡ଼ ଭାବରେ ଭଲ ପାଇବା, ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ସହିତ ପ୍ରତିଦିନ ନିରଳସ କର୍ମତତ୍ପର ଜୀବନ ଜୀଇଁ ଆସିଥିଲେ ଦୁହେଁ। ଏବଂ ଆମକୁ ବି ସେଇ ଆଦର୍ଶରେ ଗଢ଼ି ଆଣିଥିଲେ। ଆମ ଭିତରେ ଏକ ସ°ସ୍କାରିତ ମନଟିଏ ଗଢ଼ିବା ଦିଗରେ ଦୁହିଁଙ୍କ ଅବଦାନ ଅଶେଷ। ଏପରିକି, ଜେଜେବାପା ଓ ଜେଜେମାଆ ହିଁ ଆମ ଭିତରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବାରେ ପ୍ରଥମ ବ୍ୟକ୍ତି ଥିଲେ। ଜେଜେବାପା ନିଜେ ଜଣେ ଲେଖକ ଓ ଜଣେ ଭଲ ପାଠକ ଥିଲା ବେଳେ ଜେଜେମାଆ ବିଭିନ୍ନ ବହି ପଢିବାକୁ ସର୍ବଦା ଉତ୍ସାହିତ କରୁଥିଲା। ମୁଁ ଆଜି ଯାହା ବି ହେଇଚି, ସେଇ ଦୁହିଁଙ୍କ ଯୋଗୁଁ।

ତାଙ୍କ ତିରୋଧାନ ସମୟରେ ସମଗ୍ର ଛତ୍ରପୁର ଅଞ୍ଚଳ ଶୋକମଗ୍ନ ହେଇ ଯାଇଥିଲା। ସଭିଙ୍କ ମୁହଁରୁ ଜେଜେବାପା ଜେଜେମାଆଙ୍କ ଗୁଣଗାନ, କିଏ କେମିତି କେଉଁ ଅସୁବିଧା ବେଳେ ସାହାଯ୍ୟ ପାଇ ଆସିଥିଲେ, ସମସ୍ତେ ସେକଥା କହି ଲୁହ ଲୁହ ହେଇ ଯାଇଥିଲେ। ଆଜିକୁ ତିରିଶ ବର୍ଷରୁ ଅଧିକ ହେଲାଣି, ସେ ଦୁହେଁ ଏଇ ନଶ୍ଵର ସ°ସାରରୁ ବିଦାୟ ନେବାର। କିନ୍ତୁ, ଏବେ ବି ଛତ୍ରପୁର ସହରରେ ତାଙ୍କ ସ୍ମୃତିଚାରଣ କରନ୍ତି ବୟସ୍କ ଲୋକେ, ପିଲାମାନଙ୍କୁ ତାଙ୍କ କଥା କୁହନ୍ତି ତାଙ୍କ ଦ୍ଵାରା ଅନୁପ୍ରାଣିତ ଓ ସହାୟତା ପାଇଥିବା ଲୋକେ। ସ୍ଵାଧୀନତା ଦିବସ ଆସିଲେ ମୁଁ ଆଗ ସେମାନଙ୍କୁ ସ୍ମରଣ କରେ। ରାମଚନ୍ଦ୍ରଙ୍କ ସେତୁବନ୍ଧ ବନ୍ଧା ବେଳେ ଛୋଟ ଗୁଣ୍ଡୁଚି ମୂଷାର ସ୍ଵଳ୍ପ ଅବଦାନର ବାଲିଝଡ଼ା ଭଳି ବିଶାଳ ଭାରତବର୍ଷର ସ୍ଵାଧୀନତା ସମରରେ ମୋ ଜେଜେବାପା ଜେଜେମାଆଙ୍କର ଖୁବ୍ ସ୍ଵଳ୍ପ ଅବଦାନ ରହିଛି ସତ, କିନ୍ତୁ, ସେମାନେ ଓ ତାଙ୍କ ଭଳି ଲକ୍ଷ ଲକ୍ଷ କର୍ମୀଙ୍କ ତ୍ୟାଗ, ବଳିଦାନ ଓ ଦେଶପ୍ରେମ ହିଁ ଆମକୁ ସ୍ଵାଧୀନତା ଦେଇ ପାରିଥିଲା, ଏହା ଅତ୍ୟୁକ୍ତି ନୁହେଁ। ଏବଂ, ମୁଁ ସେଇ ମହାନ୍ ଦମ୍ପତିଙ୍କ ଉତ୍ତର ଦାୟାଦ ଭାବରେ ସର୍ବଦା ଗର୍ବ ଅନୁଭବ କରିବା ସହିତ ତାଙ୍କ ପ୍ରଦର୍ଶିତ ରାସ୍ତାରେ ଜୀବନ ବଞ୍ଚିବାର ପ୍ରୟାସ ସର୍ବଦା କରୁଛି। ଦେଶମାଆକୁ ଭଲ ପାଇବାର ଯେଉଁ ମହାମନ୍ତ୍ର ଆମକୁ ଶିଖେଇ ଯାଇଛନ୍ତି, ତାହା ଆଜୀବନ ସ୍ମରଣ କରି ଆମେ ବାଟ ଚାଲି ଆସିଛୁ, ଅନୁଭବ କରୁଛୁ ତାଙ୍କର ଆଶୀଷର ସ୍ପର୍ଶ। ଜୟହିନ୍ଦ୍।

Comments are closed.