Latest Odisha News

BREAKING NEWS

ବ୍ୟଙ୍ଗ : ଚୁଗୁଲିବାଦୀ ମେନିଫେଷ୍ଟୋ

ସୁପ୍ରିୟା ପ୍ରଶାନ୍ତ 

ସାମ୍ୟବାଦ, ସମାଜବାଦ, ନାରୀବାଦ, ମାନବବାଦ ସବୁରି ଉପରେ ଆଜ୍ଞା ଚୁଗୁଲିବାଦ। ଆମର ଏଠି ଯେତେ ବାଦ ପ୍ରତିବାଦ ଅଛି, ସମାଜର ଘାସମୂଳରେ ପରିବର୍ତ୍ତନ ପାଇଁ ଚୁଗୁଲିବାଦର ଆବଶ୍ୟକତାଯେ ସବୁଠାରୁ ଅଧିକ, ଏକଥା ଦିନକୁ ଦିନ ସ୍ପଷ୍ଟରୁ ସ୍ପଷ୍ଟତର ହେଇଯାଉଛି। ନିତିଦିନିଆ ଜୀବନର କଷ୍ଟଲାଘବ କରି ହାସ୍ୟରସ ଭରୁଥିବା ଚୁଗୁଲି ସମସ୍ତଙ୍କର ପ୍ରିୟ, ଆଠରୁ ଅଶୀ ବୟସ୍କ ସମସ୍ତେ ଏହାକୁ ଉପଭୋଗ କରନ୍ତି। ଚୁଗୁଲିବାଦ ବିଶ୍ୱର ସର୍ବାଧିକ ଜନପ୍ରିୟ ବାଦ ଏଥିରେ ଆଉ କାହାର ସନ୍ଦେହ ନାହିଁ। ଯଦିଓ, ଏମିତି ମଧ୍ୟ ହୁଏ, ଚୁଗୁଲି ଚୁଗୁଲିରୁ ମହାଭାରତ, ଚୁଗୁଲିବାଦୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଇତ୍ୟାଦି।

ଏସବୁକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଅନେକ ଗୁଡିଏ ଅଣଆନୁଷ୍ଠାନିକ ଚୁଗୁଲି ପେଣ୍ଠକୁ ଯାଇ ସୂଚନା ସଂଗ୍ରହ କରାଯାଇ, ପରିସଂଖ୍ୟାନ କରି ଚୁଗୁଲିକୁ ବିଧିବଦ୍ଧ ଭାବେ ଆନୁଷ୍ଠାନିକ ମର୍ଯ୍ୟଦା ଦେବାର ଦାବୀ ଅନେକ ଦିନ ଧରି ହେଉଥିଲା। ଖୁସୀର କଥା କିଛି ଉତ୍ସାୟୀ ନାଗରିକଙ୍କ ଦ୍ୱାରା ଫେବୃଆରୀ ଚଉଦ ତାରିଖରେ ଚୁଗୁଲୀବାଦୀ ସଂଘ ରାଜଧାନୀରେ ସ୍ଥାପିତ ହେଇଛି। ଏହାର ପ୍ରଥମ ବନ୍ଧୁମିଳନ ସଭାରେ ଚୁଗୁଲିବାଦୀ ମେନିଫେଷ୍ଟୋ ଓ ତାର ପାଞ୍ଚଟି ମୁଖ୍ୟ ନୀତି ଓ ଆଭିମୁଖ୍ୟର ବାଖ୍ୟା କରାଯାଇଛି। ଏଗୁଡିକ ହେଲା:

୧- ସବୁ ଚୁଗୁଲିବାଦୀ ସମାନ, ସେମାନଙ୍କ ମଧ୍ୟରେ କେହି ବଡ ବା ଛୋଟ ନୁହଁନ୍ତି।

୨- ନିଶାଦ୍ରବ୍ୟ ସେବନ ସମୟରେ ଚୁଗୁଲି ବର୍ଜନୀୟ। ସଦସ୍ୟମାନେ ନିଶାଗ୍ରସ୍ତ ହେଇ ବେଢଙ୍ଗିଆ ଚୁଗୁଲି କରି ଚୁଗୁଲିସାଥୀଙ୍କୁ ଅଡୁଆରେ ପକେଇଲେ ସେମାନଙ୍କୁ ସପ୍ତାହେରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସଦସ୍ୟପଦରୁ ନିଲମ୍ବିତ କରାଯିବ।

୩- ଚୁଗୁଲି ପରି ଏକ ସୂକ୍ଷ୍ମ କଳାକୁ ଶାସ୍ତ୍ରୀୟ କଳାର ମର୍ଯ୍ୟାଦା ଦେବାକୁ ଉଦ୍ୟମ ହେବ।

୪-ଜୀବନର ସବୁକଥାରେ ସମନ୍ୱୟତା ରଖିବାର ଆବଶ୍ୟକତା ଭଳି ଚୁଗୁଲିବାଦରେ ମଧ୍ୟ ସମନ୍ୱୟତା ରଖିବାର ଆବଶ୍ୟକତା ଅଛି। ଆନୁଷ୍ଠାନିକ ଚୁଗୁଲିବାଦୀମାନେ ମାସକୁ ଛତିଶ ଘଣ୍ଟାରୁ ଅଧିକ ଏଥିରେ ମାତିବେ ନାହିଁ। କିନ୍ତୁ ବର୍ଷରେ ଗୋଟିଏ ଦିନ (ଶ୍ରାବଣ ମାସ ଶେଷ ଶନିବାର ଦିନ ଚୁଗୁଲିବ୍ରତ ପାଳନ ଅବସରରେ ଚୁଗୁଲିସାଥୀମାନେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏବଂ ସଂଧ୍ୟାର ପ୍ରଥମ ପ୍ରହରରୁ ରାତ୍ରିର ମଧ୍ୟମ ପ୍ରହର ପର୍ଯ୍ୟନ୍ତ ମନୋମତ ଚୁଗୁଲି କରିପାରିବେ। )

୫- ଚୁଗୁଲିର ପ୍ରଚାର ଓ ପ୍ରସାରରେ ଅଭିନବତ୍ୱ ଆଣୁଥିବା ଚୁଗୁଲିସାଥୀମାନକୁ ପ୍ରେରଣା ଦେବା ପାଇଁ ବାର୍ଷିକ ଚୁଗୁଲିରତ୍ନ, ଚୁଗୁଲି ମଣି ଓ ଚୁଗୁଲି ଶିରୋମଣି ଏହି ତିନୋଟି ପୁରସ୍କାର ପ୍ରଦାନ କରାଯିବ।

ଏହି ଅବସରରେ ଚୁଗୁଲିର ଉପାଦେୟତା ବୁଝାଇବାକୁ ଯାଇ ସଂଘର ସଦସ୍ୟ ଚୁଗୁଲିସାଥୀ ବଗୁଲି ଭାଇ (ଚୁଗୁଲି ନାମ) ଗୋଟିଏ ଉଦାହରଣ ଦେଲେ। ଧରାଯାଉ, ଆପଣଙ୍କ ଅଫିସ ମୁଣ୍ଡିଙ୍କ ସହ ଗୋଟେ ଆଲୋଚନା ହେଉଛି। ଚାଟୁପଟଳ କରୁଥିବା ନୂଆ ଟୋକାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆପଣ ସବୁ ଜାଣି ବି ନିରୁପାୟ। ଧରାଯାଉ, ଆଲୋଚନା ହେଉଛି, ବିଷୟବସ୍ତୁ: ଚିରନ୍ତନ ସତ୍ୟ। ଆପଣ ଉଦାହରଣ ଦେବାକୁ ଯାଇ କହିଲେ, “ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହୁଏ।” ଆପଣଙ୍କ ମୁଣ୍ଡି ମୁଣ୍ଡ ହଲେଇ କହିଲେ, “ହଁ, କିନ୍ତୁ ଏ କଥାକୁ ଆଉ ଟିକେ ବାଗେଇକି ବି କୁହାଯାଇପାରେ।” ସେ ଟିକେ ଗମ୍ଭୀର ହେଇ ଭାବିଲେ। ଚାଟୁ ତାଙ୍କ ମୁହଁକୁ ବିମୋହିତ ହେଇ ଚାହିଁ ରହିଲା ଓ ଆପଣଙ୍କ ମୁଣ୍ଡି କହିଲେ, “ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୁଏ।”

“ଆଜ୍ଞା ସାର୍, ଆଜ୍ଞା, ଆପଣ ଯାହା କହିଲେ ! ଆପଣଙ୍କ ସବୁ କଥାରେ କି ସୂକ୍ଷ୍ମ ଜୀବନ ଦର୍ଶନ!” ମୁଣ୍ଡି ଆପଣଙ୍କ ଆଡକୁ ଅନେଇକି ସ୍ମିତ ହସିଲେ। ଆପଣଙ୍କ ଅନ୍ତବୁଜୁଳା ଭିତରୁ ଦି ଚାରିଟା କଡା ଦି ଅକ୍ଷରି ବାହାରି ଆସୁଥିଲା, ତାକୁ ଆପଣ ଭାରି କଷ୍ଟରେ ଢୋକିଲେ।

ଆଲୋଚନା ଚାଲିଲା ଚାଟୁ ଓ ମୁଣ୍ଡିଙ୍କ ଭିତରେ, ଆପଣ ନିରବ ଦର୍ଶକପ୍ରାୟ ବସି ସେଠୁ କେମିତି ଖସିବେ ଚିନ୍ତା କଲେ। ବାହାରକୁ ଆସିଲା ପରେ କଣ କରିବେ? ଏକଥାକୁ ମନଭିତରେ ଚାପିରଖିଲେ ଅସନ୍ତୋଷ ବଢିବ। ଦିନକର ତ କଥା ନୁହେଁ; ସବୁଦିନିଆ କଥା। ନିହାତି ଦି ଚାରିଟା ଚୁଗୁଲି ଛାଡିଦେଲେ ଯାଇ ମନ ହାଲୁକା ହେବ। ଏବଂ ସେଥିପାଇଁ ଆବଶ୍ୟକ ସମଭାବାପନ୍ନ ସମ୍ବେଦନଶୀଳ ଚୁଗୁଲିବାଦୀ ବନ୍ଧୁ। ଆପଣ ସେମିତି ବନ୍ଧୁଙ୍କୁ ଖୋଜୁଛନ୍ତିକି ? ତେବେ ଡେରି କାହିଁକି? ବିନା ମୂଲ୍ୟରେ ଯଥାଶୀଘ୍ର ଚୁଗୁଲିବାଦୀ ସଂଘର ସଦସ୍ୟ ହୁଅନ୍ତୁ। ଇଛୁକ ବ୍ୟକ୍ତିମାନେ ଶନିବାର, ରବିବାର ଓ ସରକାରୀ ଛୁଟିଦିନମାନଙ୍କରେ ସକାଳ ନଅଟାରୁ ରାତି ଦଶଟା ମଧ୍ୟରେ ଓଡିଶାର ପୁରପଲ୍ଲୀରୁ ଆସି ଏକାଠି ହେଉଥିବା ଚୁଗୁଲି ସଦସ୍ୟମାନଙ୍କୁ ଭେଟି ପାରିବେ। ପେଣ୍ଠସ୍ଥଳୀ ଠିକଣା: ଚୁଗୁଲିବାଦୀ ସଂଘ, ଡହରା ନଗର, ଭୁବନେଶ୍ୱର- ୪୨୦୪୨୦।

ଚୁଗୁଲିବାଦୀ ସଂଘର ଅନ୍ୟ କୌଣସି ଶାଖା ନାହିଁ। ଆପଣ ଯଦି ନିଜ ଗାଁ ବା ସହରରେ ଏହି ଫ୍ରାଞ୍ଚାଇଜ୍ଖୋ ଲିବାକୁ ଚାହୁଁଛନ୍ତି, ତେବେ ଉପରୋକ୍ତ ଠିକଣାରେ ସଭ୍ୟ ସଂଗ୍ରହ ଦାୟିତ୍ୱରେ ଥିବା ଚୁଗୁଲିସାଥୀ ନଟିଆଙ୍କୁ ସହ ଯୋଗାଯୋଗ କରନ୍ତୁ ।ଶଶରୀରେ ଆସିପାରୁନଥିଲେ ଆମର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଚୁଗୁଲିବାଦୀ ଡଟ୍ ଅର୍ଗରେ ନାମ ପଞ୍ଜୀକରଣ କରିବାକୁ ଅନୁରୋଧ।

ଚୁଗୁଲିବାଦୀଙ୍କ ସହ ସାମାଜିକ ମାଧ୍ୟମରେ ଆପଣ ଯୋଡି ହେଇପାରିବେ: ଫେସବୁକ୍ ଚୁଗୁଲିବାଦୀ/ ଟ୍ୱିଟର ଚୁଗୁଲିବାଦୀ/ ଇନ୍ସଟା ଚୁଗୁଲି। ସଂଘର ହ୍ୱାଟ୍ସଆପ୍ଗ୍ରୁ ପ୍ “ଜୟ ଚୁଗୁଲିବାଦୀ”ରେ ବର୍ତ୍ତମାନ ମୋଟ ବାରଶହ ବାର ସଦସ୍ୟ ଅଛନ୍ତି ଯେଉଁମାନେ ଚୁଗୁଲିର ଆଦାନପ୍ରଦାନ କରି ଜୀବନର ମଜା ଲୁଟୁଛନ୍ତି। ଏହି ଗ୍ରୁପର ଆରମ୍ଭ ପରେ ମାତ୍ର ଦୁଇସପ୍ତାହ ମଧ୍ୟରେ
ମଧୁମେହ, ରକ୍ତଚାପ, ଅର୍ଦ୍ଧକପାଳୀ, କୋଷ୍ଠକାଠିନ୍ୟ ତଥା ମାନସିକ ଅବସାଦ ଭୋଗୁଥିବା ସଦସ୍ୟମାନଙ୍କର ସ୍ୱାସ୍ଥ୍ୟରେ ବିପୁଳ ପରିବର୍ତ୍ତନ ଆସିଛି। ତାହେଲେ ଆଉ ଦ୍ୱନ୍ଦ୍ୱ କାହିଁକି: ସମସ୍ତେ ଏକସ୍ୱରରେ କହିବାର ସମୟ ଆସିଛି—ଗୁଗୁଲିବାଦୀ ଜିନ୍ଦାବାଦ୍! ଚୁଗୁଲୀବାଦୀ ଏକଜୁଟ ହୁଅ।

supriya.prasanta@gmail.com

Leave A Reply

Your email address will not be published.