Latest Odisha News

ଚୋରି କରି ଚିଠି ଲେଖିଲା ଚୋର, ପ୍ରତିଶ୍ରୁତି ବି ଦେଲା…..

ଚେନ୍ନାଇ: ଏବେ ଦେଶ ତଥା ରାଜ୍ୟରେ ଲୁଟରାଜ୍ ଓ ଚୋରଙ୍କ ଉତ୍ପାତ ଜାରି ରହିଛି । ପ୍ରତିଦିନ ଲକ୍ଷେ ଲକ୍ଷେ ଟଙ୍କାର ସୁନା ଅଳଙ୍କାର, ଧନ ସମ୍ପତ୍ତି, ବାଇକ୍, ଫୋନ୍ ଇତ୍ୟାଦି ଚୋରି ହେଉଥିବାର ଅଭିଯୋଗ ଥାନାରେ ରୁଜ୍ଜୁ ହେଉଛି । ଯାହାର ସନ୍ଧାନ ପରେ ପୋଲିସ୍ ହାତରେ କିଛି ଧରାପଡିଥିବା ବେଳେ ଆଉ କିଛି ଏବେବି ଖୋଲାରେ ଅନ୍ଧାର ରାତିରେ ତାଙ୍କ କାମ କରିଚାଲିଛନ୍ତି । ତେବେ ସାଧାରଣତଃ ଚୋରଟି ଚୋରି କରିବା ପରେ ଚୋରି ଜିନିଷ ସବୁ ବିକ୍ରି କରିଥାଏ । ଏମାନଙ୍କ ମଧ୍ୟରୁ ପୋଲିସ୍ କିଛି ଠାବ କରିଥିବା ବେଳେ ଆଉ କିଛିର ପତ୍ତା ମିଳିନଥାଏ । କିନ୍ତୁ ଏହି ଚୋରି ମାମଲାର ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିବା ମାତ୍ରେ ଆପଣ ବି ଟିକେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଏମିତି ଚୋର ଯିଏ ଚୋରି କରିବା ପରେ ଚିଠି ଲେଖିଛି । ଆଉ ଚିଠିରେ ଚୋରି କରିଥିବା ସବୁ କିଛି ଫେରାଇ ଦେବ ବୋଲି ପ୍ରତିଶ୍ରୁତି ବି ଦେଇଛି ।

ଶୁଣିବାକୁ ଟିକେ ଅବାସ୍ତବ ଲାଗୁଥିଲେ ବି କଥା ଟି ସତ । ଚୋରଟି ତାମିଲନାଡ଼ୁର ମେଗ୍ନନାପୁରମର ଜଣେ ଅବସରପ୍ରାପ୍ତ ଶିକ୍ଷକ ଦମ୍ପତିଙ୍କ ଘରୁ ଚୋରି କରିଥିଲା । କିନ୍ତୁ ଚୋରି କରି ଯିବା ପୂର୍ବରୁ ସେ ଚୋରି ପାଇଁ କ୍ଷମା ପ୍ରାର୍ଥନା କରି ଏକ ଚିଠି ଛାଡିଯାଇଛି । ଯେଉଁଥିରେ ସେ ଚୋରି କରିଥିବା ସାମଗ୍ରୀକୁ ମାସକ ଭିତରେ ଫେରାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁର ମେଗ୍ନନାପୁରମର ସେଥାନକୁଲମ ରୋଡରେ ଦୁଇ ଅବସରପ୍ରାପ୍ତ ଶିକ୍ଷକ ଦମ୍ପତି, ସେଲଭିନ୍ ଓ ତାଙ୍କ ପତ୍ନୀ ରୁହନ୍ତି । ଜୁନ୍ ୧୭ରେ ଘରର ଜିମା ଜଣେ ଗୃହକର୍ମୀଙ୍କୁ ଦେଇ ତାଙ୍କ ପୁଅକୁ ଦେଖା କରିବା ପାଇଁ ଦମ୍ପତି ଚେନ୍ନାଇ ଅଭିମୁଖେ ବାହାରି ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଗୃହକର୍ମୀ ଜଣକ ମଝିରେ ମଝିରେ ଆସି ଘର ଦେଖି କରି ଯାଆନ୍ତି ।  କିନ୍ତୁ ଜୁନ୍ ୨୬ ରେ ସେ ଯେତେବେଳେ ଆସି ଘର କବାଟ ଖୋଲା ହୋଇଥିବା ଦେଖିଥିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏହାପରେ ସଙ୍ଗେ ସଙ୍ଗେ ଏନେଇ ଘର ମାଲିକଙ୍କୁ ଜଣାଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଦମ୍ପତି ତୁରନ୍ତ ଆସି ଘରେ ପହଞ୍ଚି ଦେଖନ୍ତି ତ, ଅଲମାରିରୁ ୬୦ ହଜାର ନଗଦ ଟଙ୍କା ସମେତ ୧୨ ଗ୍ରାମର ସୁନା ଅଳଙ୍କାର ଓ ଗୋଟିଏ ରୂପାର ପାଉଁଜୀ ଚୋରି ହୋଇଯାଇଛି। ପରେ ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଯଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଘରୁ ଏକ ଚିଠି ପାଇଥିଲା, ଯେଉଁଥିରେ ଚୋର ନିଜର ଚୋରି ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଚୋରି ଜିନିଷ ସବୁ ଫେରାଇଦେବ ବୋଲି କହିଥିଲା ।

ଚୋରଟି ଚିଠିରେ ଲେଖିଛି, “ମୋତେ କ୍ଷମା କରିଦେବେ। ମୋ ପରିବାରର କେହି ଅସୁସ୍ଥ ଥିବାରୁ ମୁଁ ଏହି ଚୋରି କରୁଛି। ଗୋଟିଏ ମାସ ମଧ୍ୟରେ ଚୋରି ଜିନିଷ ସବୁ ଫେରାଇ ଦେବି।”

ତେବେ ମେଗ୍ନନାପୁରମର ପୋଲିସ ଉକ୍ତ ଚିଠିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗତ ବର୍ଷ ମଧ୍ୟ କେରଳର ପଲାକ୍କଡରେ ସମାନ ଘଟଣା ଘଟିଥିବା ଶୁଣିବାକୁ ମିଳିଥିଲା । ଜଣେ ବ୍ୟକ୍ତି ଏକ ତିନି ବର୍ଷର ଶିଶୁଠାରୁ ସୁନା ହାର ଚୋରି କରିନେବା ପରେ ଏହାକୁ ବିକ୍ରି କରି ସବୁ ଟଙ୍କା ଫେରାଇଥିଲା। ଏଥିସହ ଚୋରି ପାଇଁ କ୍ଷମା ମଧ୍ୟ ମାଗିଥିଲା ।

Leave A Reply

Your email address will not be published.