Latest Odisha News

BREAKING NEWS

ଗାଡିରେ ତେଲ ପକାଇଲା ବେଳେ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗରରେ ଅଘଟଣ ।  କାମାକ୍ଷାନଗର ଥାନା ଅଧୀନ ସିଆରିମାଳିଆ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଗୋଟିଏ ବାଇକରେ ଆସି ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ସିଆରିମାଳିଆ ଗାଁ ଶକ୍ତି ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମୁକ୍ତାପଶି ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ବାଇକରୁ ତେଲ ସରିଯିବା ଯୋଗୁଁ ସିଆରିମାଳିଆ ଛକରେ ତେଲ ପକାଉଥିବା ବେଳେ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ ।

ତେବେ ଶକ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ପ୍ରଧାନ ଓ ସମ୍ପାଦିକା ସୁମିତ୍ରା ପ୍ରଧାନ ଏବଂ ତାଙ୍କ ସ୍ୱାମୀ ଉପେନ୍ଦ୍ର ପ୍ରଧାନ ଏକ ବାଇକ ଯୋଗେ ବ୍ୟାଙ୍କରୁ ଘରକୁ ଫେରୁଥିଲେ । ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଘଟିଛି ଅଘଟଣ। ଖବରପାଇ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ବ୍ୟାଙ୍କ ଶାଖାକୁ ଯିବା ସହିତ ଘଟଣା ସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛନ୍ତି ।

Comments are closed.