Latest Odisha News

BREAKING NEWS

ଫେବ୍ରୁଆରୀ ୩ରୁ ଭୁବନେଶ୍ୱର କାହାଣୀ ଉତ୍ସବର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର କାହାଣୀ ଉତ୍ସବ ‘BhuFesTo’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଆସନ୍ତା ଫେବ୍ରୁଆରୀ ୩ରୁ ୫ ଯାଏ ଭୁବନେଶ୍ୱରର ୪ଟି ସ୍ଥାନରେ ଏହା ଆୟୋଜିତ ହେବ। ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି, କଳିଙ୍ଗ ନଗରର ଏପିଜେ ଅବଦୁଲ କଲାମ ପାର୍କ ଓ ନୀଳାଦ୍ରି ବିହାରର ବୁଦ୍ଧ ଜୟନ୍ତୀ ପାର୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ସାଢ଼େ ୭ଟା ଯାଏ ଉତ୍ସବ ଚାଲିବ।

ପୁରୁଷ ହକି ବିଶ୍ୱକପ୍ ସମୟରେ ଡଟ୍ ଫେଷ୍ଟର ଏକ ଅଂଶ ଭାବରେ ୨୦୧୮ରେ ଆରମ୍ଭ ହୋଇଥିଲା ଭୁବନେଶ୍ୱର କାହାଣୀ ଉତ୍ସବ । ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଅବସରରେ ଡଟ୍ ଫେଷ୍ଟର ଅଂଶ ଭାବରେ ଏହାର ଦ୍ୱିତୀୟ ସଂସ୍କରଣକୁ ଫେରିଥିଲା । ଚଳିତ ବର୍ଷ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଅବସରରେ ଏକାମ୍ର ଉତ୍ସବର ଏକ ଅଂଶ ଭାବେ ଏହାକୁ ପାଳନ କରାଯିବ। ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ।
ସମସ୍ତ ପରିବେଷଣ କେବଳ ଓଡ଼ିଆ ଭାଷାରେ ଅନୁଷ୍ଠିତ ହେବ। ବିଶ୍ୱ କଲ୍ୟାଣ ରଥ, ପ୍ରାଚୀ ତାରା ଓ ମୀରା ଦାସଙ୍କ ଭଳି ବିଶିଷ୍ଟ ମୌଖିକ କାହାଣୀକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଷ୍ଟାଣ୍ଡଅପ୍ କମେଡି, ନାଗରିକ କାହାଣୀ, ପ୍ରେରଣାଦାୟକ ଜୀବନ କାହାଣୀ ଏବଂ ଲୋକକଳାର ମଜା ନେଇପାରିବେ ।
ଭୁବନେଶ୍ୱର କାହାଣୀ ଉତ୍ସବ କେବଳ ଏକ ପର୍ବ ନୁହେଁ ବରଂ ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ପ୍ଲାଟଫର୍ମ । ଯେଉଁଥିରେ ସ୍କୁଲ, କଲେଜ ଏବଂ ବସ୍ତି ସମେତ ବିଭିନ୍ନ ଗୋଷ୍ଠୀ ଅଂଶଗ୍ରହଣ କରିପାରିବେ। ଦୃଷ୍ଟିହୀନ ଓ ଶ୍ରବଣ ହୀନ ଶ୍ରୋତାଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷା ବ୍ୟବହାର କରି ଏକ ସ୍ୱତନ୍ତ୍ର କାହାଣୀ ଅଧିବେଶନ ଆୟୋଜନ କରାଯିବ ବୋଲି ବିଡିଏ ସୂଚନା ଦେଇଛି।

Leave A Reply

Your email address will not be published.