Latest Odisha News

BREAKING NEWS

ସଂସଦ ସୁରକ୍ଷା ତୃଟି ମାମଲା; ଅଭିଯୁକ୍ତମାନଙ୍କୁ ବିଜେପି ସାଂସଦ ପାସ୍ ଦେଇଥିଲେ: ଜୟରାମ ରମେଶ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ମାମଲାରେ ବଡ ଅଭିଯୋଗ ଆଣିଛି କଂଗ୍ରେସ । ଅଭିଯୁକ୍ତଙ୍କ କୋର୍ଟରେ ଦେଇଥିବା ଦାବିକୁ ଦର୍ଶାଇ କଂଗ୍ରେସ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତାଙ୍କୁ ଦାୟୀ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଛି ।

ଦଳର ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସାଂସଦ ପ୍ରତାପ ସିହ୍ନାଙ୍କ ସହାୟତାରେ ଅଭିଯୁକ୍ତମାନଙ୍କୁ ସଂସଦ ପାସ୍ ମିଳିଥିଲା, କିନ୍ତୁ ସିହ୍ନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଜୟରାମ ରମେଶ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି ବିରୋଧୀଦଳର ନେତାମାନଙ୍କୁ ଇଡି, ସିବିଆଇ ଏବଂ ଆୟକର ବିଭାଗର ଅପବ୍ୟବହାର କରି ଜେଲରେ ରଖୁଥିବା ମୋଦି ସରକାର ଏବେ ଆଉ ଏକ ଷଡଯନ୍ତ୍ର ରଚିଛନ୍ତି ।

କଂଗ୍ରେସର ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ପ୍ରଥମେ ସଂସଦରେ ଅନୁପ୍ରବେଶ କରିଥିବା ଯୁବକଙ୍କୁ ପାସ୍ ଦେଇଥିବା ବିଜେପି ସାଂସଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ସୁରକ୍ଷା ଅଭାବରୁ ସ୍ୱର ଉତ୍ତୋଳନ କରୁଥିବା ୧୪୬ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

ଜୟରାମ ରମେଶ ଦାବି କରିଛନ୍ତି, ‘ବର୍ତ୍ତମାନ ଷଡଯନ୍ତ୍ରର ଏକ ଅଂଶ ଭାବରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ବେରୋଜଗାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସେହି ଯୁବକମାନଙ୍କୁ ବିରୋଧୀ ଦଳର ନେତାଙ୍କ ନାମ ନେବାକୁ ଚାପ ପକାଯାଉଛି । ଏହାଦ୍ୱାରା ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇପାରିବ ଏବଂ ସଂସଦର ସୁରକ୍ଷା କ୍ଷେତ୍ରରେ ତୃଟି ପାଇଁ ସେମାନଙ୍କୁ ଦାୟୀ କରାଯାଇପାରିବ ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଜୟରାମ ରମେଶ କହିଛନ୍ତି ଯେ, ‘ମୋଦି ସରକାରଙ୍କ ‘ଅନ୍ୟାୟ ସମୟ’ ବିରୋଧରେ କଂଗ୍ରେସର ସଂଗ୍ରାମ ଜାରି ରହିଛି । ଆସନ୍ତୁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନୟ ଯାତ୍ରା’ ମାଧ୍ୟମରେ ଏହି ଅନ୍ୟାୟ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବା’ ।

ତେବେ ସଂସଦର ସୁରକ୍ଷା ତୃଟି ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବୁଧବାର ଏକ କୋର୍ଟଙ୍କୁ କହିଛନ୍ତି ଯେ, ବିରୋଧୀ ଦଳ ସହ ସେମାନଙ୍କ ସମ୍ପର୍କକୁ ସ୍ୱୀକାର କରିବା ପାଇଁ ଦିଲ୍ଲୀ ପୋଲିସ ସେମାନଙ୍କୁ ନିର୍ଯାତନା ଦେଉଛି । ଏହି ସମସ୍ତ ୬ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.