ବିହାର:ପିଆଜ–ରସୁଣ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ । ଏହାର ମୂଲ୍ୟ ବଢିବା ଓ କମିବା ହେତୁ ସବୁବେଳେ ବେଶ୍ ଚାହିଦା ରହିଥାଏ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଗତ ୪୦ ରୁ ୪୫ବର୍ଷ ମଧ୍ୟରେ ରସୁଣ ଏବଂ ପିଆଜ ବ୍ୟବହାର କରାଯାଇ ନାହିଁ । ଲୋକମାନେ ଗାଁରେ ଉପସ୍ଥିତ ଥିବା ସମସ୍ତ ଘରେ ରସୁଣ–ପିଆଜ ଖାଇବା ଠାରୁ ଦୂରତା ରଖନ୍ତି । ଏହାର ଏତେ ଭୟ ଅଛି ଯେ ସେମାନେ ଏହାକୁ ବଜାରରୁ କିଣନ୍ତି ନାହିଁ ।
ବିହାରର ଜେହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅଛି ତ୍ରିଲୋକି ବିଘା ଗାଁ । ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଘର ରହିଛି । ଗାଁରେ ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା କଡା ନିଷେଧ । ଏଠାକାର ସମସ୍ତ ଲୋକ ବିନା ପିଆଜ ରସୁଣ ଖାଦ୍ୟ ଖାଇଥାନ୍ତି ।
ପ୍ରକୃତ କାରଣ କ’ଣ?
ଗାଁର ଲୋକମାନେ କୁହନ୍ତି ଯେ, ପ୍ରାୟ ୪୦ରୁ୫୦ ବର୍ଷ ପୂର୍ବେ ଲୋକମାନେ ଏହି ଗାଁରେ ପିଆଜ–ରସୁଣ ଖାଇବା ବନ୍ଦ କରିଦେଇଥିଲେ । ସେବେଠୁ ଏହାକୁ ପରମ୍ପରା ଭାବେ ଅନୁସରଣ କରିଆସୁଛନ୍ତି ଗାଁ ଲୋକେ । ଗାଁରେ ଠାକୁରବାଡି ମନ୍ଦିର ଅଛି, ଯାହାକି ବହୁ ବର୍ଷ ପୁରୁଣା ଏବଂ ଏହି ମନ୍ଦିର ଯୋଗୁଁ ଲୋକମାନେ ରସୁଣ–ପିଆଜଠାରୁ ଦୂରେଇ ରହିଛନ୍ତି । ଯେତେବେଳେ କିଛି ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥଲା । ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣ–ପିଆଜ ଖାଇବା ବନ୍ଦ କରିବା ସହ ମାଂସ ଏବଂ ମଦ୍ୟପାନକୁ ମଧ୍ୟ ନିଷେଧ କରିଥିଲେ । ସେବେଠୁ ଗାଁରେ ଏହି ପରମ୍ପରା ଚାଲିଆସୁଛି ।
Comments are closed.