ନୂଆଦିଲ୍ଲୀ: ମଇଁଷିର ଓଜନ ୧୫୦୦ କିଲୋଗ୍ରାମ। ଦିନକୁ ଖାଉଛି ୨୦ଟି ଅଣ୍ଡା। ଚର୍ଚ୍ଚାରେ ପୁଷ୍କର ମେଳାକୁ ଆସିଥିବା ଅଣ୍ଡିରା ମଇଁଷି ଅନମୋଲ। ମଇଁଷିର ମୂଲ୍ୟ ୨୩ କୋଟି ଟଙ୍କା। ହରିୟାଣାରୁ ଆସିଥିବା ଏହି ମଇଁଷି ବର୍ତ୍ତମାନ ପୁଷ୍କକର ମେଳା ଓ ମୀରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମୀରଟରେ ହେଉଥିବା ସର୍ବଭାରତୀୟ କୃଷକ ମେଳାରେ ଭିଡ଼ ଜମାଇଛି ଅନମୋଲ। ନିଜର ଆକାର ଓ ବ୍ରିଡିଂ କ୍ଷମତା ପାଇଁ ଅନମୋଲ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ନିଜର ଆକାର, ଓଜନ ଏବଂ ପ୍ରଜନନ ସମ୍ଭାବନା ପାଇଁ ବେଶ ଜଣାଶୁଣା। ଅନମୋଲ ଏବେ ସୋସିଆଲ ମିଡିଆ ସେନ୍ସେସ୍ ମଧ୍ୟ ହୋଇପାରିଛି।
ହରିୟାଣାରେ ଏମିତି ଏକ ବିଶାଳକାୟ ମଇଁଷି ଅନମୋଲର ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ମାଲିକ ପ୍ରବଳ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ମଇଁଷିକୁ ପାଳିଥିବା ଗିଲ ନାମକ ବ୍ୟକ୍ତି ମଇଁଷିର ଖାଇବା ପାଇଁ ଦିନକୁ ୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନମୋଲକୁ ସୁସ୍ଥ ଓ ଶକ୍ତିଶାଳୀ ରଖିବା ପାଇଁ ଗିଲ ସବୁଦିନ ଡ୍ରାଏ ଫ୍ରୁଟ୍ସ ଓ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦେଉଛନ୍ତି। ଅନମୋଲ ପ୍ରତିଦିନ ୨୫୦ ଗ୍ରାମ ପେସ୍ତା ବାଦମ, ୩୦ଟି କଦଳୀ, ୪ କେଜି ଡାଲିମ୍ବ, ୫ ଲିଟର କ୍ଷୀର ଓ ୨୦ଟି ଅଣ୍ଡା ଖାଉଛି। ଏହାବାଦ ସେ ତୈଳ ଯୁକ୍ତ କେକ, ସବୁଜ ପନିପରିବା, ଘିଅ, ସୋୟାବିନ ଓ ମକା ମଧ୍ୟ ଖାଇଥାଏ।
ଏପରି ଖାଦ୍ୟ ଦେଇ ଗିଲ ତା’କୁ ସବୁବେଳେ ବ୍ରିଡିଂ ଓ ମେଳାରେ ପ୍ରଦର୍ଶିତ କରିବା ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ଅନମୋଲର ମାଲିକ ଅନମୋଲକୁ ଦିନକୁ ଦୁଇ ଥର ଗାଧୋଇ ଦିଅନ୍ତି। ତା’ ଦେହରେ ସବୁଦିନ ପେସ୍ତା ବାଦମ ଓ ସୋରିଷ ତେଲକୁ ମିଶାଇ ସେ ମାଲିସ କରନ୍ତି। ଅନମୋଲ ପାଇଁ ଗିଲଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲେ ହେଁ ସେ କେବେ ହେଲେ ଏଥିରେ ବୁଝାମଣା କରି ନାହାଁନ୍ତି। ଅନମୋଲର ରକ୍ଷାଣବେକ୍ଷଣ ପାଇଁ ସେ ତା’ର ମା’ ଓ ଭଉଣୀକୁ ମଧ୍ୟ ବିକ୍ରି କରିଦେଇଥିଲେ।
ଅନମୋଲର ମା’ ଦୈନିକ ୨୫ ଲିଟର କ୍ଷୀର ଦେଉଥିଲା। ଏବେ ଅନମୋଲର ସିମେନର ଚାହିଦା ଢେର ଅଧିକ। ସପ୍ତାହକୁ ଦୁଇ ଥର ଅନମୋଲର ସିମେନ ସଂଗ୍ରହ କରାଯାଉଛି। ଏହାଦ୍ୱାରା ଅନମେଲର ମାଲିକ ଗିଲ ମାସକୁ ପ୍ରାୟ ୪ରୁ ୫ ଲକ୍ଷ ଟଙ୍କା ପାଆନ୍ତି। ଏହି ଟଙ୍କାରେ ସେ ଅନମୋଲ ପାଇଁ ଖାଦ୍ୟ କିଣନ୍ତି। ଏବେ ମାର୍କେଟରେ ଅନମୋଲର ଦାମ ୨୩ କୋଟିରେ ପହଞ୍ଚିଛି। କିନ୍ତୁ ଗିଲ ଏହାକୁ ବିକ୍ରି କରିବାକୁ ଆଦୌ ମନବଳାଇ ନାହାଁନ୍ତି। ସେ ଅନମୋଲକୁ ନିଜ ପରିବାର ସଦସ୍ୟ ଭାବେ ରଖିଛନ୍ତି।
Comments are closed.