Latest Odisha News

ଯୁବକଙ୍କ ପ୍ରଶଂସନୀୟ କାର୍ଯ୍ୟ: ୧୫୦ କିମି. ଦୂର ଯାଇ ଫେରାଇଲେ ମନିପର୍ସ

ଭୁବନେଶ୍ୱର: ପର୍ସ ଫେରାଇବା ଲାଗି ଜଣେ ବ୍ୟକ୍ତି ୧୫୦କିମି. ଯାତ୍ରା କରିଛନ୍ତି । ଏହା ଶୁଣିବାକୁ ଅଜିବ ଲାଗୁଥିଲେ ବି ସତ । ଏଭଳି ମାନବିକତାର ପରିଚୟ ଦେଇଛନ୍ତି ୩୫ ବର୍ଷୀୟ ମୁଦବୀର ଖାନ୍ ।

ଶ୍ରୀ ଖାନ୍ ବର୍ତ୍ତମାନ ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନରେ ଥିବା ଅଟୋନୋମସ୍ ସଙ୍ଗଠନରେ କାମ କରୁଛନ୍ତି । ଯିଏକି ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ ପର୍ସ ଫେରାଇ ଚର୍ଚ୍ଚାରେ ରହିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ମୁଦବୀର ଖାନ୍ ଗତ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଫର୍ଚୁନ ଟାୱାର ନିକଟରେ ବୁଲୁଥିବା ବେଳେ ରାସ୍ତା କଡରେ ଏକ ପର୍ସ ପଡିଥିବା ଦେଖିବାକୁ ପାଇଥିଲେ । ଉକ୍ତ ପର୍ସ ମଧ୍ୟରେ ୧ ହଜାର ଟଙ୍କା ସହ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ଆଧାର କାର୍ଡ ରହିଥିଲା ଏବଂ ଉକ୍ତ ପର୍ସଟି ଜାମସେଦପୁରରେ କାର୍ଯ୍ୟରତ ଜ୍ୟୋତି ପ୍ରକାଶ ରାମ ନାମକ ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ ବୋଲି ଜଣାପଡିଥିଲା ।

“ଉକ୍ତ ପର୍ସ ମଧ୍ୟରେ ଥିବା ଡକ୍ୟୁମେଣ୍ଟରୁ ତାଙ୍କ ଠିକଣା ଖୋଜିଥିଲେ ମଧ୍ୟ ପାଇନଥିଲି । ପରେ ସେଥିରେ ଥିବା ଏକ ବିଲ୍‌ରେ ଥିବା ଜାମସେଦପୁରସ୍ଥିତ ଦୋକାନୀଙ୍କ ନମ୍ବର ପାଇ ତାଙ୍କୁ ଯୋଗାଯୋଗ କରିଥିଲେ । ତେବେ ସେ ଏନେଇ କୌଣସି ସହାୟତା କରିପାରିବେ ନାହିଁ ବୋଲି କହିଥିଲେ । ପରେ ମୁଁ ଆଧାର କାର୍ଡରୁ ତାଙ୍କ ଠିକଣା ପାଇବା ପରେ ବାହାରି ପଡିଥିଲି କେନ୍ଦୁଝର ଜିଲ୍ଲା ଫକିରପୁର ତାଙ୍କ ଗ୍ରାମକୁ” ।

ସେହିଦିନ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ବସ ଷ୍ଟାଣ୍ଡରେ ରାତି ବିତାଇବାକୁ ପଡିଥିଲା । ତା’ ପରଦିନ ସକାଳୁ ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ବାଇକରେ ଯାଇ ଫକୀରପୁର ଗ୍ରାମରେ ପହଞ୍ଚିଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କ ଘରେ ପହଞ୍ଚିବା ପରେ ସେ ନିଶ୍ଚିତ ହେବା ଲାଗି ଡାକ୍ତରଙ୍କ ପିତାଙ୍କ ଆଧାର କାର୍ଡ ମଧ୍ୟ ମାଗିଥିଲେ । ଉଭୟଙ୍କର ଆଧାର କାର୍ଡକୁ ମିଳାଇବା ପରେ ଯାଇ ଶ୍ରୀ ଖାନ୍ ପରିବାର ବର୍ଗଙ୍କୁ ପର୍ସ ଦେଇଥିଲି ।

ଏନେଇ ରାମଙ୍କ ଭାଇ କହିଛନ୍ତି, “ଶ୍ରୀ ଖାନ୍ ହେଉଛନ୍ତି କୋଟିଏରୁ ଗୋଟିଏ ବ୍ୟକ୍ତି । ଆମେ ଏଭଳି ଜଣେ ବ୍ୟକ୍ତିଙ୍କୁ ଭେଟି ବହୁତ୍ ଖୁସି, ଯିଏକି ଅନ୍ୟମାନଙ୍କର ସହାୟତା କରିଥାନ୍ତି” ।

Comments are closed.