ନୂଆଦିଲ୍ଲୀ: ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଭଳି ଘରୋଇ ସଂସ୍ଥାର ରିଚାର୍ଜ ପ୍ୟାକ ମହଙ୍ଗା । ଏପରି ସ୍ଥିତିରେ ବିଏସ୍ଏନ୍ଏଲ୍ ଶସ୍ତା ପ୍ଲାନ୍ ସମାନ ସୁବିଧା ପ୍ରଦାନ କରି ଗ୍ରାହକଙ୍କ ସଂଖ୍ୟା ଯୋଡ଼ିବାକୁ ଅନବରତ ଚେଷ୍ଟା କରୁଛି ।
ମୋଦି ସରକାରରେ ଘରୋଇ କମ୍ପାନୀର ପ୍ରଭାବ ବଢୁଥିବା ବେଳେ ସରକାରୀ ଟେଲିକମ କଂପାନୀ ବିଏସଏନଏଲ ୯୯୭ ଟଙ୍କାର ପ୍ରିପେଡ୍ ପ୍ଲାନ୍ରେ ଗ୍ରାହକଙ୍କ ମନ ଜିଣିବାକୁ ପ୍ରୟାସ କରିଛି । ଏହି ପ୍ଲାନ ଜରିଆରେ ପ୍ରତିଦିନ ୨ ଜିବି ହାଇ-ସ୍ପିଡ୍ ଡାଟା, ଯେକୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲ୍ ଏବଂ ପ୍ରତିଦିନ ୧୦୦ ଏସ୍ଏମ୍ଏସ୍ ପାଇଥାନ୍ତି। ଡାଟା ସୀମା ଶେଷ ହେବା ପରେ ସ୍ପିଡ୍ ୪୦ କେବିପିଏସ୍କୁ କମିଯିବ। ଏହି ପ୍ଲାନ୍ରେ ୧୬୦ ଦିନର ବୈଧତା ରହିଛି। ତେବେ ଏହା ଡାଟା, କଲ୍ ଓ ଏସ୍ଏମ୍ଏସ୍ ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ସୁବିଧା ପ୍ରଦାନ କରେ ନାହିଁ।
କହିରଖୁଛୁ, ଅନ୍ୟ ଘରୋଇ କମ୍ପାନୀ ଗୁଡିକରେ ୮୪ ଦିନରେ ସମାନ ସୁବିଧା ଥିବା ରିଚାର୍ଜ ପ୍ୟାକର ଦାମ ରହିଛି ୧ ହଜାର ଟଙ୍କାରୁ ଅଧିକ । ବିଏସଏନଲ କିନ୍ତୁ ୧ ହଜାର ଟଙ୍କାରେ ସମାନ ସୁବିଧା ୧୬୦ ଦିନରେ ଦଉଛି ।
ମିଳିଥିବା ସୂଚନା ଅନୁସାରେ ବିଏସ୍ଏନ୍ଏଲ୍ ଦେଶବ୍ୟାପୀ ୧୨ ହଜାର ନୂଆ ୪ଜି ଟାୱାର ସ୍ଥାପନ କରିଛି। ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଚାରି ମେଟ୍ରୋ ସହର ବ୍ୟତୀତ ପ୍ରାୟ ସମସ୍ତ ରାଜ୍ୟର ରାଜଧାନୀରେ ୪ଜି ସେବା ଆରମ୍ଭ ହୋଇଛି। ଆସନ୍ତା ୨୦୨୫ ଜୁନ୍ ସୁଦ୍ଧା ଦେଶର ପ୍ରତ୍ୟେକ ସର୍କଲରେ ୪ଜି ସେବା ପହଞ୍ଚାଇବାକୁ କମ୍ପାନୀ ଯୋଜନା କରୁଛି। ଏହା ଦ୍ୱାରା ସେହି ସହରଗୁଡ଼ିକରେ ମଧ୍ୟ ସୁଲଭ ମୂଲ୍ୟରେ ୪ଜି ସେବା ଉପଲବ୍ଧ ହେବ, ଯେଉଁଠାରେ ଏବେ ସେବା ସୁଧୁରି ନାହିଁ। ଏହା ଜିଓ, ଏୟାରଟେଲ ଓ ଭୋଡାଫୋନଙ୍କ ପାଇଁ ଏକ ଶକ୍ତିଶାଳୀ ବିକଳ୍ପ ହେବ।
କେନ୍ଦ୍ରୀୟ ଦୂରସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଏସ୍ଏନ୍ଏଲ୍କୁ ଚଳିତ ଆର୍ଥିକ ବର୍ଷ ପାଇଁ ସର୍କଲ ସ୍ତରରେ ଗ୍ରାହକ ସଂଖ୍ୟା ବୃଦ୍ଧି ଏବଂ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
ମନ୍ତ୍ରୀ ସିନ୍ଧିଆ ବିଏସ୍ଏନ୍ଏଲ୍ର ୨୭ ଜଣ ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରି ପ୍ରତି ମାସରେ ଏକ ସମୀକ୍ଷା ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଚ୍ୟାଲେଞ୍ଜଗୁଡ଼ିକ ଉପରେ ଆଲୋଚନା କରାଯିବ। ସେ ସମସ୍ତ ସର୍କଲକୁ ମିଳିମିଶି ବିଭିନ୍ନ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ଖୋଜିବାକୁ କହିଛନ୍ତି। ଏହାସହ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ ସର୍କଲକୁ ଗ୍ରାହକ ବୃଦ୍ଧି ଓ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାୟ ୧୮ ବର୍ଷ ପରେ ବିଏସ୍ଏନ୍ଏଲ୍କୁ ଲାଭଜନକ କରିଥିବାରୁ ମନ୍ତ୍ରୀ ସଂସ୍ଥାର ଟିମ୍କୁ ପ୍ରଶଂସା କରିଛନ୍ତି। ୨୦୨୪ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ କମ୍ପାନୀ ୨୬୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି। ଗତ ୮-୯ ମାସରେ ବିଏସ୍ଏନ୍ଏଲ୍ ପ୍ରାୟ ୫୫ ଲକ୍ଷ ନୂଆ ଗ୍ରାହକ ଯୋଗ କରିଛି।
Comments are closed.