Latest Odisha News

BREAKING NEWS

ଏଥର ରଥଯାତ୍ରା ପରିଚାଳନାରେ ଝୁଂଟି ପଡିଲେକି ପ୍ରଶାସନ ?

ଶ୍ରୀକ୍ଷେତ୍ରର ରଥଯାତ୍ରା….ସାରା ବିଶ୍ୱ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଆଉ ଓଡିଶା ସରକାର ମଧ୍ୟ ଏଥିପାଇଁ ଆପ୍ରାଣ ଉଦ୍ୟମ କରି ସଫଳ କରିବା ପାଇଁ ଚେଷ୍ଟା କରନ୍ତି । ସବୁ ଥର କିଛି ଭୁଲ ଭଟକା ରୁହେ…ତାହା ଗ୍ରହଣୀୟ । ଏଥର କିନ୍ତୁ ସୀମା ଟପି ଯାଇଥିଲା…ରଥଯାତ୍ରା ପରିଚାଳନା କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଝୁଂଟି ପଡିଥିଲା । ଘନ ଘନ ମିଟିଂ, ପ୍ଲାଟୁନ ପ୍ଲାଟୁନ ପୋଲିସ, କୋଟି କୋଟି ଟଙ୍କା ଖର୍ଚ୍ଚ…ସବୁ କିଛି ବ୍ୟର୍ଥ ହେଲା ପରି ଲାଗିଲା । ଠାକୁରେ ଭୋକରେ ରହିଲେ, ସାମ୍ବାଦିକ ମାଡ ଖାଇଲେ, ହେରା ପଂଚମୀ ନୀତି, ସମସ୍ତ ବୁଝା ଶୁଝା ସତ୍ୱେ ରଥରେ ଭର୍ତି ହୋଇଗଲେ ସେବକ ଏବଂ ଶେଷରେ ଖରା ଓ ବର୍ଷାରେ ଭକ୍ତ ହୋଇଗଲେ ଛଟପଟ । ତଥାପି ସେମାନେ ହାତ ଟେକିଥାନ୍ତି…କଷ୍ଟ ହେଉ ମହାବାହୁଙ୍କୁ ରଥରେ ଦେଖିଲୁ ତ ?

ରଥଯାତ୍ରା ଦିନ ସମସ୍ତ କଟକଣା ଓ ୧୭୦ ପ୍ଲାଟୁନ ପୋଲିସ ସତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ଭକ୍ତ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ନାକେଦମ ହେବାକୁ ପଡିଥିଲା । ମହାପ୍ରଭୂଙ୍କ ନୀତିରେ ବିଶୃଙ୍ଖଳା ହେଲେ ସମ୍ପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା । ଠାକୁରେ ଭୋକରେ ରହିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନୀରବ ରହି ଯାଇଥିଲେ । ଆଡପମଣ୍ଡପକୁ ପହଣ୍ଡି କରି ନେବା ବେଳେ ମହାପ୍ରଭୂ ଶ୍ରୀଜଗନ୍ନାଥ ଡାହଣ ପାଶ୍ୱର୍୍ୟକୁ ଢ଼ଳି ପଡିଥିଲେ । ଏହା ପ୍ରସାରିତ ହେଲେ ମଧ୍ୟ କିଛି ସେବକ ମହାପ୍ରଭୂଙ୍କ ଲୀଳା ବୋଲି କହି ଏହାକୁ ସୁନ୍ଦର ଭାବେ ଏଡେଇ ଦେଇଥିଲେ ।

ହେରା ପଂଚମୀରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶ୍ରୀଗୁଣ୍ଡିଚା ଯାତ୍ରାର ୫ମ ଦିନରେ ଏହା ହେବା କଥା । ସବୁ ନୀତିକୁ ଆଡେଇ ଦେଇ ୬ଷ୍ଠ ଦିନରେ ଏହା ସମ୍ପନ୍ନ ହୋଇଥିଲା । ଏପରିକି ଲକ୍ଷ୍ମୀ ଠାକୁରାଣୀ ଫେରିବା ବେଳକୁ ସକାଳ ହୋଇ ଯାଇଥିଲା । ନୀତି ବିଳମ୍ବ ଯୋଗୁ ମହାପ୍ରଭୂ ଅନିଦ୍ରା ରହିଲେ । ଶେଷରେ ବିନା ପହୁଡରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ରଥ ଉପରେ କେତେ ସେବକ ରହିବେ ତାହା ମଧ୍ୟ ଘନ ଘନ ବୈଠକ ବସି ସ୍ଥିର ହୋଇଥିଲା । ମାତ୍ର ସବୁ କିଛି ଫୁଃ… ହୋଇଗଲା । ରଥ ଉପରେ ଆବଶ୍ୟକଠାରୁ ଅଧିକ ସେବକ ବସିବା ଯୋଗୁ ଏହା ବଡଦାଣ୍ଡରେ ସାପ ସଦୃଶ ଗଡିଥିଲା । ରଥ ବାରମ୍ବାର ଡାହାଣ କଡକୁ ମାଡି ଯାଉଥିଲା ।

ସବୁ କିଛି ଅବ୍ୟବସ୍ଥା ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଏ ସବୁ ବ୍ୟତୀତ ଶ୍ରୀମନ୍ଦିର ଓ ଆନନ୍ଦ ବଜାରର ଭିଡିଓ ଭାଇରାଲ ହେବା ମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି । ଟ୍ରାଫିକ ବ୍ୟବସ୍ଥା ସବୁଠାରୁ ଦୟନୀୟ ଥିଲା । ସହର ସାରା ଗାଡିଗୁଡିକ ଘୁରି ବୁଲୁଥିଲା । ଆବ୍ୟଶକତାରଠାରୁ ଅଧିକ ପାସ ବଂଟନ ଯୋଗୁ ବଡଦାଣ୍ଡ ବାଇକମୟ ହୋଇ ପଡିଥିଲା । କିଏ କେଉଁଆଡେ ଯିବେ ଜାଣି ପାରୁ ନ ଥିଲେ । ରାସ୍ତା ଉପରେ ଶୋଇ ରହିଥିବା ଭକ୍ତଙ୍କ ଜୀବନ ପ୍ରତି ବିପଦ ଥିଲା । ତାହା ମଧ୍ୟ ଦୃଷ୍ଟି ସମ୍ମୁଖକୁ ଆସି ପାରି ନ ଥିଲା ।

ବିଚ ବଜାରରେ ଜନ ଗହଳିକୁ ବେଖାତିର କରି ବୁଲା ବ୍ୟାପରୀକୁ ଜନୈକ ଯୁବକ ମାଡ ମାରିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ଥିଲା । ସବୁ କିଛି ଶୃଙ୍ଖଳିତ କରିବା ପାଇଁ ସମସ୍ତ ବିଭାଗକୁ ଦାୟିତ୍ୱ ବଂଟନ କରାଯାଇଥିଲା..ଏବେ ଏଥିରେ ଖିଲାପ ହୋଇଥିବା ପ୍ରମାଣିତ ହୋଇଛି । ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନାଁ ଆର ବର୍ଷ ରଥଯାତ୍ରାକୁ ଦେଖିବା କହି ଚୁପ ରହିଯିବ ।

Leave A Reply

Your email address will not be published.