Latest Odisha News

BREAKING NEWS

ଏଇଥି ପାଇଁ ଟ୍ରମ୍ପ- ଜେଲେନସ୍କିଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ

ନୂଆଦିଲ୍ଲୀ: ଜେଲେନସ୍କି-ଟ୍ରମ୍ପ ବାକଯୁଦ୍ଧ । ଫସିଗଲେ ଜେଲେନସ୍କି! ଟ୍ରମ୍ପଙ୍କୁ ମନାଇବାକୁ ଯାଇଥିଲେ, ହୋଇଗଲା ବାକଯୁଦ୍ଧ । ହ୍ବାଇଟ୍ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି । ଆମେରିକାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରତି ବଢୁଥିବା ଘନିଷ୍ଠତାକୁ ରୋକିବାକୁ ଯାଇଥିଲେ ଜେଲେନସ୍କି । ହେଲେ ଟ୍ରମ୍ପଙ୍କ ସହ ଯୁକ୍ତିତର୍କ ୟୁକ୍ରେନର ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି । ପୂର୍ବରୁ ମଧ୍ୟ ଯୁଦ୍ଧ ରୋକିବାକୁ ହେଲେ ଗତ ୩ବର୍ଷ ମଧ୍ୟରେ ଋଷ କବଜା କରିଥିବା ୟୁକ୍ରେନର ଅଂଶ ଛାଡିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଟ୍ରମ୍ପ କହିଥିଲେ । ତେବେ ହ୍ବାଇଟ୍ ହାଉସରେ ବାକଯୁଦ୍ଧ ପରେ ଟ୍ରମ୍ପ ଜେଲେନସ୍କିଙ୍କ ସହ କଥା ହୋଇନଥିଲେ । ଏପରିକି ଜେନସ୍କିଙ୍କୁ ତୁରନ୍ତ ହ୍ବାଉଟ୍ ହାଉସ୍ ଛାଡିବାକୁ କୁହାଯାଇଥିଲା ।

କାହିଁକି ଟ୍ରମ୍ପ- ଜେଲେନସ୍କିଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ?

ଯୁଦ୍ଧ ଉପରେ ରୋକ୍ ଲଗାଇବାକୁ ନେଇ ଆଲୋଚନା ବେଳେ କହିଥିଲେ ଜେଲେନସ୍କି । ୨୦୧୪ରେ ଋଷ ୟୁକ୍ରେନର ପୂର୍ବ ଅଂଶ ଓ କ୍ରିମିୟା ଉପରେ କବଜା କରିଥିଲା । ହେଲେ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଋଷକୁ କେହି ରୋକିଲେନି । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୟୁକ୍ରେନ୍ ଋଷ ସହ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲା । ହେଲେ ଋଷ ବୁଝାମଣାର ଉଲ୍ଲଂଘନ କରିବା ସହ ଅସ୍ତ୍ରବିରତି ଭାଙ୍ଗିଥିଲା । ୟୁକ୍ରେନର ଲୋକଙ୍କୁ ମାରିବା ସହ କେବେ ବି କଏଦୀ ଅଦଳବଦଳ କରିନଥିଲା ଋଷ । ଏହାପରେ କେବେ ଆମେରିକା ୟୁକ୍ରେନ ଯାଇ ଦେଶର ସମସ୍ୟାକୁ ଦେଖିଛି କି ବୋଲି ପ୍ରଶ୍ନ କରିଥିଲେ ଜେଲେନସ୍କି । ଉତ୍ତରରେ ହ୍ବାଇଟ୍ ହାଉସ ଆସି ଆମେରିକା ପ୍ରଶାସନକୁ ଆକ୍ଷେପ କରିବା ସମ୍ମାନଜନକ କି ବୋଲି ପ୍ରଶ୍ନ କରିଥିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ବେନସ । ଏହାପରେ ଆମେରିକା ପାଖରେ ସମାଧାନ ଅଛି, ହେଲେ ସେ ଏହାକୁ ଅନୁଭବ କରିପାରୁନଥିବା କହିଥିଲେ ଜେଲେନସ୍କି । ଯାହାକୁ ନେଇ ଟ୍ରମ୍ପ ରାଗି ଯାଇଥିଲେ । ଜେଲେନସ୍କି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ସେ ତୃତୀୟ ବିଶ୍ବଯୁଦ୍ଧର ଜୁଆ ଖେଳୁଥିବା କହିଥିଲେ ଟ୍ରମ୍ପ ।

ଯୁକ୍ତିତର୍କ…ବିଗିଡିଗଲା ସଂପର୍କ

ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ ଯୁକ୍ତିତର୍କ ପରେ ୟୁକ୍ରେନ୍ ଓ ଟ୍ରମ୍ପ ପ୍ରଶାସନ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିଲା । ବୈଠକ ସରିବା ପରେ ପୁଣି ଆଲୋଚନା କରିବାକୁ ଉଦ୍ୟମ କରିଥିଲେ ଜେଲେନସ୍କି । ଏପରିକି ତାଙ୍କ ଟିମ୍ ପ୍ରାୟ ଗୋଟେ ଘଣ୍ଟା ଅପେକ୍ଷା କରିଥିଲେ । ତେବେ ତାଙ୍କୁ ହ୍ବାଇଟ୍ ହାଉସରୁ ବାହାରିଯିବାକୁ କୁହାଯାଇଥିଲା। ଏହାପରେ ସେ ଯୁଦ୍ଧ ଶେଷ କରିବାକୁ ଚାହୁଁଥିବା କହିଛନ୍ତି ଟ୍ରମ୍ପ । ତେବେ ପୁତିନଙ୍କ ପାଇଁ ଜେଲେନସ୍କିଙ୍କ ମନରେ ଘୃଣା ଭରିରହିଛି । ଏଭଳି ଘୃଣାର ମୁକାବିଲା କରିବା କଷ୍ଟ ବୋଲି ଟ୍ରମ୍ପ କହିଛନ୍ତି । ଜେଲେନସ୍କି ଓଭାଲ ଅଫିସରେ ଆମେରିକାର ଅପମାନ କରିଛନ୍ତି । ଶାନ୍ତି ପାଇଁ ପ୍ରସ୍ତୁତ ହେବା ପରେ ହିଁ ସେ ଆସନ୍ତୁ ବୋଲି ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେପଟେ ଯୁକ୍ତିତର୍କ ପାଇଁ କ୍ଷମା ମାଗିବାକୁ ମନା କରିଛନ୍ତି ଜେଲେନସ୍କି । ସେ ଆମେରିକା ଲୋକ ଓ ଟ୍ରମ୍ପଙ୍କ ସମ୍ମାନ କରନ୍ତି, ତେବେ ସେ କିଛି ଭୁଲ କହିନଥିବା ଜେଲେନସ୍କି କହିଛନ୍ତି ।

କାହା ସପକ୍ଷରେ କିଏ?

ଟ୍ରମ୍ପ ଓ ଜେଲେନସ୍କିଙ୍କ ଯୁକ୍ତିତର୍କ ପରେ ଦୁନିଆ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି । ଗୋଟିଏ ପକ୍ଷ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି ତ ଅନ୍ୟ ପକ୍ଷ ଜେଲେନସ୍କିଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି । ଆମେରିକା ଲୋକ ଓ ରିପବ୍ଲିକାନ ନେତା ଟ୍ରମ୍ପଙ୍କୁ ସମର୍ଥନ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି । ତେବେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟ୍ ଦଳ ଜେଲେନସ୍କିଙ୍କ ପ୍ରଶଂସା କରିଛି । ଅଧିକାଂଶ ୟୁରୋପୀୟ ଦେଶ ୟୁକ୍ରେନ ସମର୍ଥନରେ ଠିଆ ହୋଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍ ମେକ୍ରୋ, ସ୍ବିଡେନ୍ ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟେରସନ୍ ଓ ଏଷ୍ଟୋନିଆ ଋଷ ବିରୋଧରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶାନ୍ତିର ରାସ୍ତାରେ ପୁତିନଙ୍କ ଆକ୍ରମଣାତ୍ମକ ନୀତି ବାଧା ବୋଲି ସେମାନେ କହିଛନ୍ତି ।  ଏହାସହ ଆୟରଲ୍ୟାଣ୍ଡ, ଲାଟଭିଆ, ସ୍ପେନ୍, ପୋଲାଣ୍ଡ ତଥା ଅଷ୍ଟ୍ରେଲିଆ ଜେଲେନସ୍କିଙ୍କ ସମର୍ଥନରେ ସନ୍ଦେଶ ଦେଇଛନ୍ତି ।

Comments are closed.