Latest Odisha News

BREAKING NEWS

ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଲେ

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ଦିନ ଆମେରିକାର ବିଭିନ୍ନ ସହରରେ ଟ୍ରମ୍ପ ସରକାରଙ୍କ ନୀତି ବିରୁଦ୍ଧରେ ବିରାଟ ରାଲି ହୋଇଛି। ଏହି ରାଲିରେ ଲୋକମାନେ ଟ୍ରମ୍ପଙ୍କ ଟାରିଫ, କର୍ମଚାରୀ ଛଟେଇ, ଅର୍ଥନୀତିର ଖରାପ ଅବସ୍ଥା ଓ ମାନବାଧିକାର ଉଲ୍ଲଂଘନ ଭଳି ପ୍ରସଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଟ୍ରମ୍ପଙ୍କ କାର୍ଯ୍ୟକାରୀ ଆଦେଶଗୁଡ଼ିକୁ ମଧ୍ୟ ବିରୋଧ କରୁଛନ୍ତି।

ଏହି ବିକ୍ଷୋଭ ଓ୍ଵାଶିଂଟନ, ନ୍ୟୁୟର୍କ, ହ୍ୟୁଷ୍ଟନ, ଫ୍ଲୋରିଡା, କୋଲୋରାଡୋ ଓ ଲସ୍‌ ଏଞ୍ଜେଲ୍ସ ଭଳି ସହରଗୁଡ଼ିକରେ ଦେଖିବାକୁ ମିଳିଛି। ସରକାରୀ କର୍ମଚାରୀଙ୍କ ଛଟେଇ ଠାରୁ ଆରମ୍ଭ କରି ବ୍ୟାପାର ଶୁଳ୍କ ଓ ନାଗରିକ ଅଧିକାର ହନନ ପର୍ଯ୍ୟନ୍ତ ଅନେକ ବିଷୟକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରି ରାସ୍ତାକୁ ଓହ୍ଲାଇଛନ୍ତି ।

ନ୍ୟୁୟର୍କର ଜଣେ ଚିତ୍ରକର ଶାୟନା କେସନର କହିଛନ୍ତି ଯେ, ସେ ସରକାରଙ୍କ ନୀତିକୁ ବିରୋଧ କରୁଛନ୍ତି। ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି, ନ୍ୟୁ ହାମ୍ପସାୟାରରୁ ପାଖାପାଖି ୧୦୦ ଲୋକ ବସ୍‌ ଓ ଭ୍ୟାନରେ ଏହି ବିକ୍ଷୋଭରେ ସାମିଲ ହେବାକୁ ଆସିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ନୀତି ଦେଶରେ ସମସ୍ୟା ସୃଷ୍ଟି କରୁଛି ଓ ବିଶ୍ୱରେ ଆମେରିକାର ସହଯୋଗୀମାନଙ୍କୁ ହରାଉଛି।

ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଘୋଷଣା କରିଥିଲେ ଯେ, ଆମେରିକାରେ କେବଳ ଦୁଇଟି ଲିଙ୍ଗ- ପୁରୁଷ ଓ ମହିଳାଙ୍କୁ ମାନ୍ୟତା ଦିଆଯିବ। ତୃତୀୟ ଲିଙ୍ଗଙ୍କୁ କୌଣସି ସ୍ଥାନରେ ସ୍ୱୀକୃତି ମିଳିବ ନାହିଁ। ଏହି ବିକ୍ଷୋଭରେ ତୃତୀୟ ଲିଙ୍ଗ ପ୍ରସଙ୍ଗ ମଧ୍ୟ ଉଠିଛି। ଶନିବାର ଦିନ ଆମେରିକାରେ ୧୦୦୦ରୁ ଅଧିକ ବିକ୍ଷୋଭ ହୋଇଛି। ଏହାର ନାଁ ‘ହ୍ୟାଣ୍ଡସ୍‌ ଅଫ୍‌’ ରଖାଯାଇଥିଲା। ଏଥିରେ ନାଗରିକ ଅଧିକାର ସଂଗଠନ, ଶ୍ରମିକ ସଂଘ, ପୂର୍ବତନ ସୈନିକ ଓ ନିର୍ବାଚନ କର୍ମୀମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ।

କିଛି ଦିନ ପୂର୍ବେ ଟ୍ରମ୍ପ ବିଶ୍ୱର ଅନେକ ଦେଶ ଉପରେ ଟାରିଫ ଲଗାଇବାର ଘୋଷଣା କରିଥିଲେ। ଭାରତ ଉପରେ ୨୬ ପ୍ରତିଶତ ଟାରିଫ ଲଗାଯିବ ବୋଲି କହିଥିଲେ। ଭାରତ ବ୍ୟତୀତ ଚୀନ୍‌, ମାଲେସିଆ, କାନାଡା ଓ ଭିଏତନାମ ଭଳି ଦେଶଗୁଡ଼ିକ ଉପରେ ମଧ୍ୟ ଟାରିଫ ଲାଗିଛି। ଏହି ନୀତିଗୁଡ଼ିକ ଯୋଗୁଁ ଆମେରିକାରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

Comments are closed.