Latest Odisha News

BREAKING NEWS

ଆଫଗାନିସ୍ତାନକୁ ଘାରିଛି ଅନାହାର ଭୟ

ଭୁବନେଶ୍ୱର: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଲୋକେ ଏକାଧିକ କାରଣ ପାଇଁ କୋକୁଆ ଭୟରେ ଦିନ କାଟୁଛନ୍ତି । ଏହି ଦେଶର ୪ରୁ ୫ ମିଲିଅନ ପରିବାର ଖାଦ୍ୟ ଓ ଜଳାଭାବ ସାଙ୍ଗକୁ ତାଲିବାନର ନୂଆ ନିୟମକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ବିଗତ ତିନି ମାସ ଧରି ଆଫଗାନିସ୍ତାନ ଲୋକଙ୍କ ପାଖକୁ ବାହାର ଦେଶରୁ କୌଣସି ପ୍ରକାର ସହାୟତା ପହଂଚିପାରୁନି । ଦିନ ଥିଲା ଶୀତ ଋତୁ ପୂର୍ବରୁ ଆଫଗାନିସ୍ତାନ ସରକାର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖୁଥିଲା । ହେଲେ ଏବେ ତାଲିବାନର ରାଜୁତି ଓ ସ୍ଥଳପଥ ଅବରୋଧ ଯୋଗୁଁ ତାହା ସମ୍ଭବ ହୋଇପାରିନି ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଆଫଗାନିସ୍ତାନର ୧୪ ମିଲିଅନ୍‌ରୁ ଅଧିକ ଅନାହାର ଭଳି ଗୁରୁତର ସମସ୍ୟା ଦେଇ ଗତି କରିବେ । ଆକଳନ ଅନୁଯାୟୀ ଚଳିତବର୍ଷ ମରୁଡି ପାଇଁ ଶତକଡା ୪୦ ଭାଗ ଫସଲ ନଷ୍ଟ ହୋଇଥିଲା । ଅନ୍ୟପଟେ ସରକାରୀ ଗୋଦାମ ଘର ଓ ଲୋକଙ୍କ ଘରେ ଗଚ୍ଛିତ ଥିବା ଅତ୍ୟାବଶକୀୟ ସାମଗ୍ରୀକୁ ତାଲିବାନ ବନ୍ଧୁକ ମୁନରେ ହଡପ କରିଛି ।

ନିକଟ ଭବିଷ୍ୟତରେ ଆଫଗାନିସ୍ତାକୁ ସଂଯୋଗ କରୁଥିବା ସ୍ଥଳପଥ ଖୋଲିବାର ସମ୍ଭାବନା ନାହିଁ । ଅନ୍ୟପଟେ ଅନିୟନ୍ତ୍ରିତ ରାଜନୈତିକ ସ୍ଥିତିକୁ ଦେଖି ବିଶ୍ୱ ବ୍ୟାଙ୍କ ଓ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ମଧ୍ୟ ଆଫଗାନିସ୍ତାନକୁ ଅନୁଦାନ ସ୍ଥଗିତ ରଖିଛନ୍ତି । ଇଣ୍ଟିଗ୍ରେଟେଡ୍ ଫୁଡ୍ ସିକ୍ୟୁରିଟି ଫେଜ୍ କ୍ଲାସିଫିକେସନ୍‌ର ରିପୋର୍ଟ ଅନୁସାରେ ଦାୟକୁଣ୍ଡି, ଫର‌୍ୟାବ, ବଦକ୍ସାନ୍ ଓ ଘୋର ଭଳି ଅଂଚଳରେ ଏବେଠୁ ଖାଦ୍ୟାଭାବ ଭଳି ସ୍ଥିତି ଦେଖାଦେଇଛି ।

ଦୀର୍ଘ ୫ ଦଶନ୍ଧି ଧରି ଆଫଗାନିସ୍ତାନ ଗୃହଯୁଦ୍ଧର ସମ୍ମୁଖୀନ ହୋଇଆସୁଛି । ଜନସଂଖ୍ୟାର ୯୨ ପ୍ରତିଶତ ଲୋକ ଦିନକୁ କେବଳ ୨ ଡଲାରରେ ଜୀବିକା ନିର୍ମାହ କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ ଆଫଗାନିସ୍ତାନକୁ କେବଳ ସୀମିତ ଯୋଗାଣ ଜାରି ରହିଛି । ଯାହା ଏଠିକାର ବାସିନ୍ଦାଙ୍କୁ ମାତ୍ର ୧୦ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ସମ୍ଭାଳିବାରେ ସକ୍ଷମ । ଖାଦ୍ୟକୁ ବାଦ୍ ଦେଲେ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ମଧ୍ୟ ଏଠିକାର ଲୋକେ ଡହଳ ବିକଳ ହେଉଛନ୍ତି । ହସ୍ପିଟାଲ ବଦଳରେ ଅସ୍ତ୍ରଶସ୍ତ୍ର କାରଖାନାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରି ସମସ୍ତ ସ୍ଥିତିକୁ ଅଣଦେଖା କରି ତାଲିବାନ ନିଜ ବିଜୟ ଉତ୍ସବ ପାଳନ କରିବାରେ ମସଗୁଲ ରହିଛି ।

ବିଶେଷଜ୍ଞଙ୍କ ମତ୍ତରେ ଖୁବଶୀଘ୍ର ଆଫଗାନିସ୍ତାନରେ ଆନାହାର ମୃତ୍ୟୁ ଜନିତ ସ୍ଥିତି ଦେଖାଦେଇପାରେ । ଆଗକୁ ଆଫଗାନିସ୍ତାନର ଭବିଷ୍ୟତ ଅନ୍ଧାର ଥିବାବେଳେ ସାଧାରଣ ଲୋକେ ଆଜି ନିଜ ଦେଶରେ ରହିବାକୁ ଭୟ କରୁଛନ୍ତି । ଯେଉଁଠି ସାରା ବିଶ୍ୱ ଉନ୍ନତିର ପଥରେ ଆଗେଇ ଚାଲିଛି, ସେଠି ଆଫଗାନିସ୍ତାନ କିନ୍ତୁ ମଧ୍ୟକାଳୀନ ସମୟକୁ ପଶ୍ଚାତ ଧାବନ କରୁଛି ।

Leave A Reply

Your email address will not be published.