Latest Odisha News

BREAKING NEWS

ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ତିନି ଅଟକ

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣାରେ ପୁଲିସ ୩ ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖିଛି। ମୃତକଙ୍କ ପରିବାର ଲୋକେ ଝିଅ ଡେଇଁବା ଘଟଣାକୁ ସହଜରେ ଗ୍ରହଣ ନକରିପାରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ବୁର୍ଲା ଥାନାରେ ଏତଲା ଦେବା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପରିବାର ଲୋକେ କହିଛନ୍ତି, ଝିଅକୁ ଯୋଜନାବଦ୍ଧ ଭାବେ ଭୁବନେଶ୍ୱରରୁ ଡକାଯାଇ ପ୍ରଥମେ ହତ୍ୟା କରାଯାଇଛି। ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଯୋଜନାବଦ୍ଧ ଭାବେ ପାୱାର ଚାନେଲକୁ ଠେଲି ଦିଆଯାଇଛି।

ଚିନ୍ମୟୀଙ୍କ ବାପା ବନମାଳୀ ସାହୁ ପେଶାରେ ଜଣେ ଡାକ୍ତର। ସେ ଝିଅର ମୃତ ଦେହ ଦେଖିବା ପରେ କହିଛନ୍ତି, ଝିଅର ବେକର ସମ୍ମୁଖ ପାର୍ଶ୍ୱରେ ଏକ କଳା ଦାଗ ରହିଛି। ତେଣୁ ଝିଅକୁ ହତ୍ୟା କରାଯାଇଛି। ଏହା ଆତ୍ମହତ୍ୟା ନୁହେଁ। ସେହିପରି ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ କହିଛନ୍ତି, ସମାବର୍ତ୍ତନ ଉତ୍ସବରେ ସ୍ନାତକ ଡିଗ୍ରି ସାର୍ଟିଫିକେଟ ନେବାକୁ ଝିଅ ଆସିଥିଲା। ସେ ଓପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲା। ମଙ୍ଗଲବାର ସନ୍ଧ୍ୟାରେ ସେ ଝିଅ ସହିତ ଫୋନରେ କଥା ହୋଇଥିଲେ କିନ୍ତୁ ରାତି ୯ଟା ପରେ ଆଉ ଝିଅର ଫୋନ୍ କରିବା ସମୟରେ କେହି ତାର ତଣ୍ଟି ଚିପୁଥିବା କଥା ଶୁଣାଯାଉଥିଲା। ତେଣୁ ଝିଅକୁ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି।

ତେବେ ଚିନ୍ମୟୀଙ୍କ ପଞ୍ଚନାମା ହୋଇଛି। ଏହି ସମୟରେ ଜଣେ ଛାତ୍ର ଉପସ୍ଥିତ ଥିଲେ। ଆଉ ଫୋନ୍ ଯୋଗେ ଜଣଙ୍କୁ ଫୋନ୍ କରି ଫେସବୁକ୍ ପ୍ରୋଫାଇଲ ଡିଲିଟ୍ କରିବାକୁ କହୁଥିଲେ ବୋଲି ଉପସ୍ଥିତ ଥାନା ଅଧିକାରୀ ଶୁଣିବାକୁ ପାଇଥିଲେ। ପରେ ସଙ୍ଗେସଙ୍ଗେ ସଂପୃକ୍ତ ଛାତ୍ରର ଫୋନ୍ ପୋଲିସ ସିଜ୍ କରି ଅଟକ ରଖିଛି। ବୁର୍ଲା-ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସ ଏହି ସୂଚନା ଦେଇଛନ୍ତି।

ଏହି ଘଟଣାରେ ପ୍ରୀତିମାନ, ମାନସ ସହିତ ସଂପୃକ୍ତ ଛାତ୍ରଙ୍କୁ ବୁର୍ଲା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପ୍ରୀତିମାନ୍‌ଙ୍କ ବାପା ପ୍ରଣବ କୁମାର ଦେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଜଣେ ଅତିରିକ୍ତ ସଚିବ ବୋଲି ଜଣାପଡ଼ିଛି। କଲେଜରେ ସମାବର୍ତ୍ତନ ଉତ୍ସବ ଶେଷ ହେବା ପରେ ଚିନ୍ମୟୀ ପ୍ରୀତିମାନ ସହ ପାଓ୍ୱାର ଚାନେଲ ନିକଟକୁ ଆସିଥିଲା ବୋଲି ସୂଚନା ରହିଛି।

 

Comments are closed.