Latest Odisha News

BREAKING NEWS

ଇଡିର ୩ଟି ସମନକୁ ନା, ଏବେ ଅରବିନ୍ଦ କେଜ୍ରିୱାଲ କ’ଣ କରିପାରିବେ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି କରାଯାଇଥିବା ସମନକୁ ଅଣଦେଖା କରି ହାଜର ହେବାକୁ ସିଧାସିଧା ମନାକରି ଦେଇଛନ୍ତି। ଏହା ପୂର୍ବରୁ ଇଡି ତାଙ୍କୁ ନଭେମ୍ବର ୨ ଓ ଡିସେମ୍ବର ୨୧ରେ ପଚରାଉଚରା ପାଇଁ ଡକାଇଥିଲା। ବର୍ତ୍ତମାନ ରଦ୍ଦ ହୋଇଥିବା ଦିଲ୍ଲୀ ଅବକାରୀ ନୀତି ୨୦୨୧ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବାକୁ ଡକାଇଥିଲା । ଏବେ ତିନି ଧର ସମନକୁ ଅଣଦେଖା କରିବାରୁ ସେ ଗିରଫ ହୋଇପାରନ୍ତି ବୋଲି ତାଙ୍କ ଦଳର ନେତା ଓ ମନ୍ତ୍ରୀ ଟ୍ବିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି।

କାହିଁକି ହାଜର ହେଉନାହାନ୍ତି କେଜ୍ରିଓ୍ବାଲ?
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ନିର୍ବାଚନ, ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ଏବଂ ତଦନ୍ତକାରୀ ଏଜେନ୍ସିର “ଆଭିମୁଖ୍ୟ”କୁ ଆଧାର କରି ଇଡି ନିକଟରେ ହାଜର ନହେବାର କାରଣ ବୋଲି ଦର୍ଶାଇଛନ୍ତି। ସେ ଇଡିକୁ ଚିଠି ଲେଖି କହିଛନ୍ତି ଯେ ପଠାଯାଇଥିବା ଯେକୌଣସି ପ୍ରଶ୍ନର ଉତ୍ତର ମିଳିଲେ ସେ ଖୁସି ହେବେ। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି (ଆପ୍) ଦାବି କରିଛି ଯେ ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ସମନ ପଠାଯାଇଛି।

ଜଜ୍, ଜୁରି ଓ ଜହ୍ଲାଦ

କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ଇଡି ତାଙ୍କୁ ପୂର୍ବରୁ ନୋଟିସର ଜବାବରେ ଦିଆଯାଇଥିବା ବିସ୍ତୃତ ଯୁକ୍ତି ଗ୍ରହଣ କରିବାକୁ ମନା କରିଦେଇଛି। ସେ ଲେଖିଛନ୍ତି ଯେ ଦେଶର ଏକ ପ୍ରମୁଖ ତଦନ୍ତକାରୀ ଏଜେନ୍ସି ଭାବରେ ଆପଣ ଗ୍ରହଣ କରିଥିବା ଆଭିମୁଖ୍ୟ ଆଇନ, ସମାନତା କିମ୍ବା ନ୍ୟାୟର ପରୀକ୍ଷାକୁ ବଜାୟ ରଖିପାରିବ ନାହିଁ। ସମନର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କର ଜିଦ୍ ଏକା ସାଙ୍ଗରେ ବିଚାରପତି, ଜୁରୀ ଏବଂ ଜହ୍ଲାଦ ଭୂମିକା ଗ୍ରହଣ କରିବା ସଦୃଶ। ଯାହା ଆଇନର ଶାସନ ଦ୍ୱାରା ପରିଚାଳିତ ଆମ ଦେଶରେ ଗ୍ରହଣୀୟ ନୁହେଁ।

ଆଗକୁ କ’ଣ ହେବ?

ଇଡି ଅଦାଲତର ଦ୍ୱାରସ୍ଥ ହୋଇ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇବାକୁ ଅନୁମତି ମାଗିପାରେ। ଅନ୍ୟପକ୍ଷରେ କେଜ୍ରିୱାଲ କୋର୍ଟର ଦ୍ୱାରସ୍ଥ ହୋଇ ଇଡିକୁ ଗିରଫ କରିବାରୁ ରୋକିବା ପାଇଁ ଆଗୁଆ ଜାମିନ ଆବେଦନ କରିପାରନ୍ତି। ଏହି ମାମଲାରେ ଇଡି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କୁ ଗିରଫ କରିସାରିଛି।

Leave A Reply

Your email address will not be published.