କାଙ୍କେର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ରବିବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଏରିଆ କମିଟି ସଦସ୍ୟଙ୍କ ସମେତ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ରାଜ୍ୟରେ ନିହତ ମାଓବାଦୀଙ୍କ ସଂଖ୍ୟା ୨୫୨କୁ ବୃଦ୍ଧି ପାଇଛି।
ପୋଲିସ ଅନୁଯାୟୀ, କାଙ୍କେର ଏବଂ ଗାରିଆବନ୍ଦ ଜିଲ୍ଲାର ସୀମାନ୍ତ ରାଭାସ ଜଙ୍ଗଲରେ ଏକ ଗୁଳିବିନିମୟ ହୋଇଥିଲା, ଯେଉଁଠାରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ସକାଳେ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ କାଙ୍କେର ଏବଂ ଗାରିଆବନ୍ଦର ରାଜ୍ୟ ପୋଲିସର ଏକ ୟୁନିଟ୍ ଜିଲ୍ଲା ରିଜର୍ଭ ଗାର୍ଡ (DRG)ର କର୍ମଚାରୀମାନେ ଏହି ଅପରେସନରେ ସାମିଲ ଥିଲେ। ସେ କହିଛନ୍ତି ଯେ ଅପରାହ୍ନ ପର୍ଯ୍ୟନ୍ତ ମଝିରେ ମଝିରେ ଗୁଳି ବିନିମୟ ଜାରି ରହିଛି।
ଏନକାଉଣ୍ଟର ସ୍ଥଳରୁ ଏପର୍ଯ୍ୟନ୍ତ ତିନି ଜଣ ମାଓବାଦୀଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ମୃତ ସଦସ୍ୟଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି। ମୃତକଙ୍କ ମଧ୍ୟରେ ଏରିଆ କମିଟି ସଦସ୍ୟ ଅଛନ୍ତି ବୋଲି ସନ୍ଦେହ କରାଯାଉଛି।
ତେବେ ଛତିଶଗଡ଼ରେ ନିହତ ୨୫୨ ନକ୍ସଲଙ୍କ ମଧ୍ୟରୁ କାଙ୍କେର ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୨୩ ଜଣ ଏବଂ ରାୟପୁର ଡିଭିଜନର ଗାରିଆବନ୍ଦରେ ୨୭ ଜଣ ନକ୍ସଲଙ୍କୁ ନିପାତ କରାଯାଇଥିଲା।
ସେପ୍ଟେମ୍ବର ୨୨ ତାରିଖରେ ଦୁର୍ଗ ଡିଭିଜନର ମୋହଲା-ମାନପୁର-ଆମ୍ବାଗଡ଼ ଚୌକି ଜିଲ୍ଲାରେ ଆଉ ଦୁଇ ଜଣ ନକ୍ସଲଙ୍କୁ ନିହତ କରାଯାଇଥିଲା। ସେମାନଙ୍କୁ କେନ୍ଦ୍ରୀୟ କମିଟି ସଦସ୍ୟ ରାଜୁ ଦାଦା ଓରଫ କଟ୍ଟା ରାମଚନ୍ଦ୍ର ରେଡ୍ଡୀ (୬୩) ଏବଂ କୋସା ଦାଦା ଓରଫ କାଦାରୀ ସତ୍ୟନାରାୟଣ ରେଡ୍ଡୀ (୬୭) ଭାବରେ ଚିହ୍ନଟ କରାଯାଇଥିଲା। ଏକ ନକଲି ଏନକାଉଣ୍ଟର ଅଭିଯୋଗରେ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଛତିଶଗଡ଼ ସରକାରଙ୍କୁ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.