କେନ୍ଦୁଝର: ଜମିବାଡ଼ି ବିବାଦରୁ ଗୋଟିଏ ପରିବାରର ୩ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ସାନ ଭାଇ, ଭାଇ ବୋହୂ ଓ ଝିଆରୀଙ୍କୁ ହାଣି ହତ୍ୟା କରାଯାଇଛି । ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ । ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ଘଟିଛି ।
ହତ୍ୟାକାଣ୍ତ ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହି ଘଟଣାରେ ଜିତେନ୍ଦ୍ରଙ୍କ ବଡ଼ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ସୋରେନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।
ପୋଲିସ ସୂଚନା ଅନୁଯାୟୀ, ସାନ ଭାଇ ଜିତେନ୍ଦ୍ର ଓ ବଡ଼ ଭାଇ ଲକ୍ଷ୍ମଣ ସୋରେନଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଦୀର୍ଘଦିନ ଧରି କହଳ ଲାଗି ରହିଥିଲା । ଅନେକ ସମୟରେ ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲେ । ରବିବାର ସନ୍ଧ୍ୟା ୭ଟାରେ ପୁଣି ଥରେ ଏହି ଘଟଣାକୁ ନେଇ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଜିତେନ୍ଦ୍ରଙ୍କ ବଡ଼ ଭାଇ ଲକ୍ଷ୍ମଣ, ଅନ୍ୟଜଣେ ଭାଇ ବୈଦ୍ୟନାଥ ସୋରେନ ଓ ତାଙ୍କ ପୁତୁରା ତଥା ବୈଦ୍ୟନାଥ ପୁଅ ମିଳିତ ଭାବେ ଜିତେନ୍ଦ୍ର, ମାଳତୀ ଏବଂ ସସ୍ମିତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।