ମହାନ ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇପାରିଛି । ଭାରତୀୟ ଧର୍ମ, ପରମ୍ପରା, ଐତିହ୍ୟ ତଥା ସାଂସ୍କୃତିକ ବୈଚିତ୍ର୍ୟତା ମଧ୍ୟରେ ରହିଛି ଚମତ୍କାରିତା । ହଜାର ହଜାର ବର୍ଷ ପୂର୍ବରୁ ତଥା ଆଜି ପର୍ଯ୍ୟନ୍ତ ଏହି ଦେଦଭୂମି ଭାରତବର୍ଷରେ ଆଧ୍ୟାତ୍ମିକ ଅନୁଭୂତି ତଥା ଅଲୌକକିତାରେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ପ୍ରକଟ ହୋଇଛନ୍ତି । ଭାରତ ସାଧୁ-ସନ୍ଥଙ୍କ ଭୂମି । ଏଠାରେ ଏହି ସାଧୁ-ସନ୍ଥଙ୍କ ଚମତ୍କାରିତାକୁ ନେଇ ଅନେକ ପାଶ୍ଚାତ୍ୟ ଲେଖକ ତଥା ଗବେଷକ ଅନେକ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି ।
ତିନି ଜଣ ଭକ୍ତ ଏମିତି ଭାରତ ବର୍ଷରେ ଥିଲେ ଯାହାର ଶରୀର, ଦେହାନ୍ତ ପରେ ମିଳି ନଥିଲା।
କବୀର ଦାସ (୧୩୯୮-୧୫୧୮)
୧୫୧୮ ମସିହାରେ କବୀର କାଶୀ ପାଖରେ ମଗହର ଠାରେ ଦେହ ରଖିଥିଲେ।ମୃତ୍ୟୁ ପରେ ତାଙ୍କର ଶବକୁ ନେଇ ମୁସଲମାନ ଓ ହିନ୍ଦୁ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଲା।ହିନ୍ଦୁ ମାନେ କହିଲେ ଅନ୍ତିମ ସଂସ୍କାର ହିନ୍ଦୁ ନୀତି ଅନୁସାରେ ହେବ ଓ ମୁସଲମାନ ମାନେ ସେମାନଙ୍କର ନୀତି ଅନୁସାରେ ସଂସ୍କାର କରିବେ ବୋଲି ଜିଦ୍ ଧରିଲେ।ଏହି ପରିପ୍ରେକ୍ଷୀରେ ଯେତେବେଳେ ଶବ ଉପରୁ ଚାଦର କାଢି ଦିଆଗଲା, ସେତେବେଳେ ଲୋକ ମାନେ ଶବ ଯାଗାରେ ଫୁଲର ଶଯ୍ୟା ଦେଖିବା ପାଇଲେ।ଶେଷରେ ସେହି ଫୁଲରୁ ଅଧେ ହିନ୍ଦୁ ଓ ଅଧେ ମୁସଲମାନ ମାନେ ନେଇ ଯେଝା ରୀତିରେ ସଂସ୍କାର କଲେ।ଏବେ ମଗହର ରେ କବୀରଙ୍କ ସମାଧି ଅଛି।
ଶ୍ରୀଚୈତନ୍ୟ ମହାପ୍ରଭୁ(୧୪୮୬-୧୫୩୪)
କଥିତ ଅଛି ଯେ, ଶ୍ରୀଚୈତନ୍ୟ ମହାପ୍ରଭୁ ହେଲେ ଶ୍ରୀକୃଷ୍ଣଙ୍କ ଅବତାର । ଶ୍ରୀକୃଷ୍ଣ ହେଲେ ଶ୍ୟାମାଙ୍ଗ ମାତ୍ର ଶ୍ରୀଚୈତନ୍ୟ ହେଲେ ଗୌରାଙ୍ଗ । ଶ୍ରୀରାଧାରାଣୀଙ୍କ ପ୍ରେମ, ସ୍ନେହ ଶ୍ରଦ୍ଧାକୁ ନିଜେ ସ୍ୱୟଂ ଅନୁଭବ କରିବାକୁ ଗୌରାଙ୍ଗ ରୂପରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀଜଗନ୍ନାଥଙ୍କ ନିକଟରେ ରହି ଭକ୍ତିମାର୍ଗ ସମ୍ପର୍କରେ ଶ୍ରଦ୍ଧାଳୁମାନଙ୍କୁ ଦିଗଦର୍ଶନ ଦେଇଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀକ୍ଷେତ୍ରରେ ୧୫ ଜୁନ ୧୫୩୪ ରେ ରଥଯାତ୍ରା ଦିନ ସଂକୀର୍ତ୍ତନ କରୁ କରୁ ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେହରେ ଲୀନ ହୋଇ ଯାଇଥିଲେ ଓ ଶରୀରର କୌଣସି ଖବର ମିଳି ନଥିଲା।
ମୀରା ବାଇ- (୧୪୯୮-୧୫୪୭)
ମୀରା ବାଇ ଶେଷ ସମୟରେ ବହୁତ ଦିନ ଧରି ବୃନ୍ଦାବନ ରେ ଥିଲେ। ପରେ ସେ ଅନ୍ତିମ ସମୟରେ ଦ୍ବରୀକା ଚାଲିଗଲେ। ୧୫୪୭ ରେ ସେ ଦ୍ବାରୀକାଧୀଶ୍ ଙ୍କ ମନ୍ଦିରରେ ନାଚୁ ନାଚୁ ଶ୍ରୀ ରଣଛୋଡ ଭଗବାନଙ୍କ ଗର୍ଭଗୃହରେ ପ୍ରବେଶ କରିଗଲେ। ଆପେ ଆପେ କବାଟ ବନ୍ଦ ହୋଇଯାଇଥିଲା।ସେବକମାନେ ଯେତେବେଳେ କବାଟ ଖୋଲିଲେ ସେତେବେଳେ ମୀରା ବାଇଙ୍କର ଲୁଗା ମୂର୍ତ୍ତି ଙ୍କ ଦେହରେ ଗୋଡେଇ ହୋଇ ରହିଥିଲା ଓ ଠାକୁରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ମୀରା ମୂର୍ତ୍ତିଙ୍କ ଦେହରେ ଲୀନ ହୋଇଯାଇଥିଲେ ଓ ତାଙ୍କର ଶରୀରର କୌଣସି ଖବର ମିଳିନଥିଲା।