Latest Odisha News

BREAKING NEWS

ପୂର୍ବୋତ୍ତରରେ ବଢୁଛି ବିଜେପି ଏବଂ ଆଞ୍ଚଳିକ ଦଳ, ନିରାଶ ହେଲା କଂଗ୍ରେସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୂର୍ବୋତ୍ତରର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ତିନୋଟି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ମେଘାଳୟରେ ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତୃତାଧୀନ ସରକାରରେ କ୍ଷମତାରେ ରହିବ। ଦଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଜେପି ସହ ମେଘାଳୟରେ ସରକାର ଚଳାଉଥିବା ଏନପିପି ଏଥର ନିର୍ବାଚନରେ ​​ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କେବଳ ଏତିକି ନୁହେଁ, ନିର୍ବାଚନରେ ​​ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଥିବା ଏନପିପି ଫଳାଫଳକୁ ଦୃଷ୍ଟିରେ ରଖି ଅମିତ ଶାହଙ୍କ ସମର୍ଥନ ଲୋଡିଛନ୍ତି ଏବଂ ସରକାର ଗଠନ ବିଷୟରେ ଆଲୋଚନା କରିଛନ୍ତି। ଏଠାରେ ୨୬ଟି ଭୋଟ୍ ସହିତ ଏନପିପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। କିନ୍ତୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଁ ଦଳକୁ ଆହୁରି ୫ ଟି ଆସନର ସମର୍ଥନ ଆବଶ୍ୟକ ରହିଛି। ପରେ ଏନପିପି ମୁଖ୍ୟ ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି ରାଜ୍ୟରେ ବିଜେପି ସହିତ ମିଶି ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସ ୨୦୧୮ରେ ଏହି ରାଜ୍ୟରେ ୨୧ଟି ଆସନରେ ଜିତିଥିଲା। କିନ୍ତୁ ଚଳିତଥର ମାତ୍ର ୫ଟି ଆସନରେ ବିଜୟୀ ହୋଇଛି। ସେହିପରି ଏନସିପି ୬ଟି ଆସନରେ, ଟିଏମସି ୫ଟି, ୟୁଡିପି ୫ଟି ଆସନରେ ଜିତିଛି।

ତ୍ରିପୁରାର ସମସ୍ତ ୬୦ଟି ଆସନରୁ ଫଳାଫଳ ବାହାରିଛି। ସେଥିମଧ୍ୟରୁ ବିଜେପି ୩୨ଟି ଆସନରେ ଜିତିଛି। ଏଠାରେ ବିଜେପି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି-ଆଇପିଏଫଟି ମେଣ୍ଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ୬୦ ବିଧାନସଭା ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ୩୩ଟି ଆସନ ଜିତି କ୍ଷମତାକୁ ଫେରିଛି। ବିଜେପି ୩୨ଟି ଆସନରେ ଜିତିଥିବାବେଳେ ତ୍ରିପୁରା ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ (ଆଇପିଏଫଟି) ଗୋଟିଏ ଆସନରେ ଜିତିଥିବା ନିର୍ବାଚନ କମିଶନଙ୍କ ଓ୍ବେବସାଇଟରୁ ଏହି ସୂଚନା ମିଳିଛି।

ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ମାଣିକ ସାହ କହିଛନ୍ତି, ବିଜେପିର ବିଜୟ ଆଶା କରାଯାଉଥିଲା। ଆମେ ଏହି ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲୁ। ସାହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ସାହଙ୍କୁ ୧ ହଜାର ୨୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଏନଡିପିପି -ବିଜେପି ମିଳିତ ମଞ୍ଚ ନାଗାଲାଣ୍ଡରେ ବହୁମତ ପାଇବା ପରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ ହୋଇଛି। ଗୁରୁବାର ଶାସକ ଏନଡିପିପି-ବିଜେପି ମିଳିତ ମେଣ୍ଟ ୩୭ଟି ଆସନ ଜିତି ୬୦ ସଦସ୍ୟ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ବହୁମତ ହାସଲ କରିଛି। ଏହି ବିଜୟ ସହିତ ପୂର୍ବରୁ ଉତ୍ତର-ପୂର୍ବ ରାଜ୍ୟର ତିନିଥର ନେତୃତ୍ୱ ନେଇଥିବା ତଥା ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସସି ଜାମିରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁବାର କହିଛନ୍ତି ଯେ ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କନରାଡ ସାଙ୍ଗମା ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଶୀର୍ବାଦ ଲୋଡିଛନ୍ତି। ଶର୍ମା ଟ୍ୱିଟରରେ ଏହା ମଧ୍ୟ କହିଛନ୍ତି ଯେ ବିଜେପି ଜାତୀୟ ସଭାପତି ଜେପି ନଡା ଦଳର ମେଘାଳୟ ୟୁନିଟକୁ ରାଜ୍ୟରେ ସରକାର ଗଠନରେ ଏନପିପିକୁ ସମର୍ଥନ କରିବାକୁ ପରାମର୍ଶ ଦେଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବୋତ୍ତରରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର କରିଥିଲେ। ତ୍ରିପୁରାରେ ବାମପନ୍ଥୀ ଦଳ ସହ କଂଗ୍ରେସ ମିଶି ନିର୍ବାଚନ ଲଡ଼ିଥିଲା। କିନ୍ତୁ ତିନୋଟି ଯାକ ରାଜ୍ୟରେ ଯେଉଁ ଜନାଦେଶ ମିଳିଛି ତାହା କଂଗ୍ରେସକୁ ନିରାଶ କରିଛି। କିନ୍ତୁ ଆଞ୍ଚଳିକ ଦଳ ଗୁଡିକ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ମେଘାଳୟରେ ପ୍ରଥମ ଥର ପାଇଁ ବିଜେପି ସମସ୍ତ ଆସନରେ ଏକାକୀ ନିର୍ବାଚନ ଲଢ଼ିଥିଲା। ହେଲେ ଦୁଇଟି ଆସନରେ ବିଜୟୀ ହୋଇ ରାଜ୍ୟରେ ଖାତା ଖୋଲିଛି।

 

 

 

 

Leave A Reply

Your email address will not be published.