କେନ୍ଦୁଝର: ହୋଲିରେ ବଡ଼ ଅଘଟଣ। ମର୍ମନ୍ତୁଦ ଦୁର୍ଘଟଣାରେ ନିଶ୍ଚିନ୍ନ ହୋଇଗଲା ପରିବାର। ଝିଅ ଘର ସାମ୍ନାରେ ଟ୍ରକ ଧକ୍କାରେ ଚାଲିଗଲା ବାପା, ମାଆ ସମେତ ପୁଅର ଜୀବନ । କେନ୍ଦୁଝର ଯୋଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ସାନନଈ ଗାଁର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ଝିଅ ଘର ଦୋଳିତାକୁ ବାଇକ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ୨୦ ଦୋଳିତା ଛକ ନିକଟରେ ଝିଅ ଘର ସମ୍ମୁଖରେ ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ସାମ୍ନାରୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ମାଆ ଓ ପୁଅକୁ ଚମ୍ପୁଆ ଡାକ୍ତରଖାନାକୁ ନିଆ ଯାଇଥିଲା । ମାତ୍ର ଡାକ୍ତରଖାନାରେ ମାଆ ମଥାମଣିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଅ ମଙ୍ଗଲଙ୍କୁ କେନ୍ଦୁଝର ଡାକ୍ତରଖାନା ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘଟଣାସ୍ଥଲରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଦୋଳିତା ଛକରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।