Latest Odisha News

BREAKING NEWS

ବସନ୍ତ ବାସ୍ନାରେ ବାସୁଛି ସାରା ରାଜ୍ୟ, ଚଉଦିଗକୁ ମହକାଉଛି ପେନ୍ଥାପେନ୍ଥା ଝୁଲୁଥିବା ଆମ୍ବ ବଉଳ

ଭୁବନେଶ୍ଵର: ଋତୁରାଜ ବସନ୍ତର ଆଗମନରେ ହସି ଉଠୁଛି ପ୍ରକୃତିରାଣୀ । ବସନ୍ତ ଆସିଛି କୋକିଳ କୁ କୁ ରାବ ସାଙ୍ଗ କୁ ମଲ୍ଲୀ ଓ ମଧୁମାଳତୀ ଫୁଲ ଫୁଟିଛି l କେତକୀ ଫୁଲର ବାସ୍ନା ନାନା ଜାତିର ପୁଷ୍ପ ମଳୟ ପବନରେ ରାଧା ମାଧବଙ୍କ ଦୋଳ ଉତ୍ସବକୁ ସ୍ୱାଗତ କରିଛି । ଆକାଶ ହୋଇଛି ରଙ୍ଗ ବେରଙ୍ଗ । ମନରେ ଭାଷୁଛି ରଙ୍ଗୀନ ପ୍ରେମ । ସାରା ଦୁନିଆ ହୋଇଯାଇଛି ରଙ୍ଗୀନ । ଆମ୍ବ ବଉଳର ମହୁଲି ବାସ୍ନାରେ ପ୍ରକୃତି ମନରେ ଉନ୍ମାଦନା ସୃଷ୍ଟି ହୋଉଛି । ଭାବୁକ ମନରେ ଭାବ ଭରି ଦେଉଥିବା ଏହି ସୌନ୍ଦର୍ଯ୍ୟ ଏବେ ଦେଖିବାକୁ ମିଳୁଛି ସାରା ରାଜ୍ୟରେ ।

ପ୍ରକୃତିର କୋଳରେ ସଜେଇ ହୋଇଥିବା ବଉଳର ମହମହ ବାସ୍ନା ଆନମନା ଭରି ଦେଉଛି । ଖାଲି ମଣିଷ ନୁହେଁ, ପଶୁପକ୍ଷୀ ଜୀବଜନ୍ତୁ ମନକୁ ମଧ୍ୟ ଚଳଚଞ୍ଚଳ କରି ଦେଉଛି ବସନ୍ତର ବଉଳ । ପ୍ରଜାପତିମାନେ ଏ ବଉଳ ପେନ୍ଥାରୁ ସେ ବଉଳ ପେନ୍ଥାକୁ ଡେଇଁ ଡେଇଁ ନାଚୁଥିବା ବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଉଛି ମହୁମାଛି । ଆଉ ଏହି ଦୃଶ୍ୟ ଦେଖି ମଣିଷ କିଛି ସମୟ ପାଇଁ ଭୁଲି ହୋଇଯାଏ ସବୁ ଦୁଃଖ ଯନ୍ତ୍ରଣା । ଆଉ ଭରି ଦେଇଛି ନୂଆ ଉନ୍ମାଦନା । ସେପଟେ ବସନ୍ତର ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁକୁହୁ ରାବ ପରିବେଶରେ ଏକ ପ୍ରେମର ବାର୍ତ୍ତା ଦେଉଛି । ପତ୍ରଝଡ଼ା ପରେ ପରେ ବୃକ୍ଷରାଜି ନବପଲ୍ଲବ ଧାରଣ କରୁଛନ୍ତି ।

ବସନ୍ତର ସମୟ ଉତ୍ସବର ସମୟ। ଶ୍ରୀକୃଷ୍ଣଙ୍କ ରାସ ଉତ୍ସବକୁ କୁହାଯାଏ ବସନ୍ତ ରାସ। ଶରତ ଋତୁରେ ମଧ୍ୟ ରାସ ହୁଏ। ତାହାକୁ ଶରତ ରାସ କୁହାଯାଏ। ଓଡ଼ିଶାରେ ବସନ୍ତ ଉତ୍ସବକୁ ତିନିଟି ମୁଖ୍ୟ ପର୍ବ ରହିଥାଏ ଯଥା: ମଦନପୂଜା, ଦୋଳଯାତ୍ରା ଓ ହୋଲି। ଭାରତୀୟ ସାହିତ୍ୟରେ ବସନ୍ତକୁ ନେଇ କେତେ ଯେ କାବ୍ୟ କବିତା ରଚିତ ହୋଇଛି ତାହାର ହିସାବ ଖୋଜି ପାଇବା କଷ୍ଟ। ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ପବନରେ ପତ୍ରଝଡାର ଦୋଳି ଖେଳର ଆନନ୍ଦ ନେଉଥିବା ସମୟରେ ବୃକ୍ଷରେ କଅଁଳିଆ ପତ୍ରର ନୂତନ ଆଗମନ ମାନବ ଜୀବନରେ ତ୍ୟାଗ ଓ ଭୋଗର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରୁଛି । ବସନ୍ତର ମଳୟ ପବନ ଶରୀରକୁ ମୃଦୁ ସ୍ପର୍ଶ ଦେଇ ଚାଲିଯାଉଥିବା ବେଳେ ଆମ୍ବ ବଉଳ, କୁରେଇ ଫୁଲ, ବଣ ମଲ୍ଲି ଭଳି ବିଭିନ୍ନ ପୁଷ୍ପରାଜିରୁ ଝରି ଆସୁଥିବା ମନମୁଗ୍ଧକର ମହକ ପର୍ଯ୍ୟଟକଙ୍କୁ ମତୁଆଲା କରିଦେଉଛି ।

 

Comments are closed.