Latest Odisha News

BREAKING NEWS

ଆଜି ଆସିବ ତିନି ରାଜ୍ୟର ନିର୍ବାଚନ ଫଳାଫଳ: ତ୍ରିପୁରା ଉପରେ ମୋଦୀ-ମମତାଙ୍କ ନଜର

ନୂଆଦିଲ୍ଲୀ: ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେବ। ୨୦୧୮ରେ ବାମପନ୍ଥୀଙ୍କ ହାତରୁ ତ୍ରିପୁରାକୁ ଛଡ଼ାଇ ନେଇଥିଲା ବିଜେପି। ତେଣୁ ଆଜି ପୁଣିଥରେ ବାମପନ୍ଥୀ ତଳ କଂଗ୍ରେସ ସହ ମିଶି ଶାସନ ଗାଦିକୁ ଫେରିବ ନା ବିରୋଧୀ ଆସନରେ ବସିବ ତାହା ଆଉ କେଇ ଘଣ୍ଚା ପରେ ସ୍ପଷ୍ଟ ହେବ।

ତ୍ରିପୁରାର ୬୦ ବିଧାନସଭା ଆସନରେ ବିଜେପି ବିପକ୍ଷରେ ଲଢିବା ପାଇଁ ପ୍ରଥମ ଥର ପାଇଁ କଂଗ୍ରେସ ଓ ବାମଦଳ ରାଜ୍ୟରେ ହାତ ମିଳାଇଛନ୍ତି। ଏହି ତିନି ରାଜ୍ୟ ମଧ୍ୟରେ ତ୍ରିପୁରା ଏକମାତ୍ର ରାଜ୍ୟ ଯାହା ଉପରେ ସାରା ଦେଶର ନଜର ରହିଛି। କାରଣ ବିଧାନସଭା ନିର୍ବାଚନର କେଇ ମାସ ପୂର୍ବରୁ ବିଜେପି ଏଠାରେ ମୁଖ୍ୟମନ୍ତ୍ରୀ ବଦଳାଇଥିଲା।

୨୦୧୮ରେ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ୩୬ଟି ଆସନରେ ବିଜୟୀ ହୋଇଥିଲା। ବିପ୍ଲବ କୁମାର ଦେବଙ୍କ ନେତୃତ୍ବରେ ଦଳ ଏହି ବିଜୟ ହୋଇଥିଲା। କିନ୍ତୁ ୨୦୧୩ରେ ବିଜେପି ଏଠାରେ ଗୋଟିଏ ଆସନରେ ବି ଜିତିପାପାରିନଥିଲା। ତେଣୁ ୨୦୧୮ରେ ବିଜୟୀ ହେବା ପରେ ଏହା ଆଦର୍ଶଗତ ବିଚାରଧାରାର ବିଜୟ ବୋଲି ସେତେବେଳେ ବିଜେପି କହିଥିଲା। ଚଳିତଥର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ବଡ଼ ବଡ଼ ଚେହେରା ଆସି ଭୋଟ୍ ଭିକ୍ଷା କରିଥିଲେ। ତ୍ରିପୁରାରୁ କ୍ଷମତା ହାସଲ ପାଇଁ ଲକ୍ଷ୍ୟ ରଖିଛି ଟିଏମସି। ପଶ୍ଚିମବଙ୍ଗ ନିର୍ବାଚନ ପରେ ଗୋଆରେ କମାଲ କରିବ ବୋଲି ମମତାଙ୍କ ଦଳ ଆଶା ରଖିଥିଲା। ହେଲେ ଫଳାଫଳରେ ବିଜେପିର ଚକମା ଦେଖିବା ପରେ ତ୍ରିପୁରା ଉପରେ ମମତାଙ୍କ ଆଖି ରହିଛି। ଟିଏମସିର ଶୀର୍ଷ ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ପ୍ରଚାର କରିବା ସମୟରେ ହିଂସା ହୋଇଥିବାର ନଜର ଆସିଥିଲା।

ସେହିପରି ପ୍ରଥମ ଥର ପାଇଁ ବିଜେପି ମେଘାଳୟର ସମସ୍ତ ୬୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏଠାରେ ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତା ତଥା ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କୁ ଲଗାତାର ବିଜେପି ବିରୋଧ କରି ଆସୁଛି। ଉତ୍ତର-ପୂର୍ବାଞ୍ଚଳ ପାଇଁ ବିଜେପିର ରଣନୀତିକାର ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିର୍ବାଚନ ପରେ ସାଙ୍ଗମାଙ୍କୁ ଭେଟି ଉଭୟ ଦଳ ପୁଣି ଏକାଠି କାମ କରିପାରନ୍ତି ବୋଲି ସଙ୍କେତ ଦେଇଥିଲେ। ସେହିପରି ନାଗାଲାଣ୍ଡରେ ମଧ୍ୟ ବିଜେପି ଅନ୍ୟାନ୍ୟ ଦଳ ସହ ମିଶି ସରକାର ଗଢ଼ିବ ବୋଲି ଏଗଜିଟ ପୋଲ ରିପୋର୍ଟରୁ ଜଣାପଡ଼ିଛି।

 

 

Comments are closed.