Latest Odisha News

BREAKING NEWS

ତାତିରୁ ମିଳିବ ଆଶ୍ୱସ୍ତି: କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇଦିନ କାଳବୈଶାଖୀ ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ପବନ ହେବାର ସମ୍ଭାବନା ରହିଛି। ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ମଧ୍ୟ କମିବ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବାଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ବିଶୋଇ ଓ ବାଙ୍ଗିରିପୋଷି ଅଞ୍ଚଳରେ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜବେଷ୍ଟସ୍ ଓ ଟାଇଲ ଘର ଭାଙ୍ଗି ଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। କୁଆପଥର ମାଡ଼ରେ ଏକ ଯାତ୍ରୀବାହୀ ବସର କାଚ ଭାଙ୍ଗି ଯାତ୍ରୀ ଆହତ ହୋଇଛନ୍ତି। କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି। ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଂଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି।

Comments are closed.