Latest Odisha News

BREAKING NEWS

ମିଳିଲା ଦେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଥିବା ବାଘର ଠିକଣା…

ଭୁବନେଶ୍ୱର: ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ନିକଟରେ ଦେଖାଯାଇଥିବା ଅଣ୍ଡିରା ବାଘଟି ପୂର୍ବରୁ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବାଘ ସଂରକ୍ଷିତ ଅଞ୍ଚଳରେ ଥିଲା ବୋଲି ଜଣାପଡ଼ିଛି।

ସେଠାରେ କ୍ୟାମେରା-ଟ୍ରାପ୍ (ସ୍ୱୟଂଚାଳିତ କ୍ୟାମେରା) ମାଧ୍ୟମରେ ନିଆଯାଇଥିବା ଫଟୋରୁ ୨୦୨୫ ମସିହାରେ ପ୍ରାୟ ଛଅ ମାସ ଧରି ଏହାର ଉପସ୍ଥିତି ନିଶ୍ଚିତ ହୋଇଥିଲା ବୋଲି ରବିବାର ଦିନ ବନ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହି ବାଘଟି ୨୦୨୬ ମସିହା ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପହଞ୍ଚିଥିଲା। ପଡ଼ୋଶୀ ରାଜ୍ୟର ବନ ଅଧିକାରୀଙ୍କଠାରୁ ମିଳିଥିବା କ୍ୟାମେରା-ଟ୍ରାପ୍ ଫଟୋଗୁଡ଼ିକରେ ଥିବା ବାଘର ଶରୀରର ଡୋରା (stripe-pattern) ଚିହ୍ନଗୁଡ଼ିକୁ ବିଶ୍ଳେଷଣ କରି ଏହାର ପରିଚୟ ସ୍ପଷ୍ଟ କରାଯାଇଛି।

ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ସାମ୍ପ୍ରତିକ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ, ଗତ ବର୍ଷ ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବାଘ ସଂରକ୍ଷିତ ଅଞ୍ଚଳରେ ପ୍ରାୟ ଛଅ ମାସ ଧରି ରହିଥିଲା। ତେବେ ଛତିଶଗଡ଼ରେ ପହଞ୍ଚିବା ପୂର୍ବରୁ ଏହା କେଉଁଠାରୁ ଆସିଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଥାଇପାରେ କିନ୍ତୁ ଏହାର ପୂର୍ବ ଗତିପଥକୁ ପ୍ରମାଣିତ କରିବା ପାଇଁ ବର୍ତ୍ତମାନ କୌଣସି କ୍ୟାମେରା-ଟ୍ରାପ୍ ପ୍ରମାଣ ଉପଲବ୍ଧ ନାହିଁ।

ଅପରପକ୍ଷରେ ଦେବ୍ରିଗଡ଼ କର୍ତ୍ତୃପକ୍ଷ ‘ନ୍ୟାସନାଲ୍ ଟାଇଗର୍ କନଜରଭେସନ୍ ଅଥରିଟି’ (NTCA) ସହ ଯୋଗାଯୋଗ କରିଛନ୍ତି। ସେମାନେ ଏହି ବାଘର ପୂର୍ବ ଗତିବିଧି ଏବଂ ଯାତ୍ରା ଇତିହାସ ସମ୍ବନ୍ଧରେ ଯଦି କୌଣସି ଅତିରିକ୍ତ ସୂଚନା ଥାଏ, ତେବେ ତାହା ପ୍ରଦାନ କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.