ବାରିପଦା : ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ଜିନ୍ନତ। ବନ ବିଭାଗର ବିଶେଷଜ୍ଞ ଦଳଙ୍କୁ ବାରମ୍ବାର ଚକମା ଦେବା ପରେ ଶେଷରେ କାବୁ ହୋଇଛି ଜିନ୍ନତ। ଝାରଖଣ୍ଡରୁ ଆସି ସେ ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ରବିବାର ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ ପ୍ରକାଶ ଗୋଗିନେନି।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ପରେ ବାଘୁଣୀ ‘ଜିନ୍ନତ’ ପଶ୍ଚିମବଙ୍ଗର ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଏଣେତେଣେ ବୁଲୁଥିଲା। ଧରିବାକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ତା’ର ଗତିବିଧି ଉପରେ ନଜର ରଖିଥିଲେ। ‘ଜିନ୍ନତ ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ବନ ବିଭାଗ କର୍ମଚାରୀଙ୍କୁ ମାତ ଦେଇ ବାରମ୍ବାର ଖସି ଯାଉଥିଲା ‘ଜିନ୍ନତ’।
ଡ୍ରୋନ୍ ମାଧ୍ୟମରେ ବନବିଭାଗ ଟିମ୍ ‘ଜିନ୍ନତ ’ର ଲୋକେସନ ଟ୍ରାକ୍ କରିଥିଲା। ଲୋକେସନ୍ ମିଳିବା ପରେ ଚାରିପାଖରୁ ଜାଲ ବିଛା ଯାଇଥିଲା। ପରେ ଜିନ୍ନତକୁ ଲକ୍ଷ୍ୟ କରି ବନ ବିଭାଗ ଟ୍ରାଙ୍କୁଲାଇଜର କରିଥିଲା। ତେବେ ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ପଶ୍ଚିମବଙ୍ଗର ଆଲିପୁର ଚିଡିଆଖାନାକୁ ନିଆଯାଇଛି। ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ। ବର୍ତ୍ତମାନ ବାଘୁଣୀ ଜିନ୍ନତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାରିପଦା ଆରସିସିଏଫ ଶ୍ରୀ ଗୋଗିନେନି କହିଛନ୍ତି।
Comments are closed.