ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ବାଘ ମିଶନରେ ଓଡିଶା ଆସିଥିଲା ବାଘୁଣୀ ‘ଜିନ୍ନତ୍’ । ହେଲେ ଓଡିଶା ତାକୁ ଭଲ ଲାଗୁନି । ଏବେ ସିଏ ଛତିଶଗଡ ଜଙ୍ଗଲ ମୁହାଁଇଛି । ଛତିଶଗଡର ଜଙ୍ଗଲରେ ଏବେ ବିଚରଣ କରୁଛି ଜିନ୍ନତ୍ । ପାଖାପାଖି ୧୦ ଦିନ ହୋଇଗଲାଣି । ହେଲେ ଓଡିଶା ଫେରିବା ନାଁ ଧରୁନି ଜିନ୍ନତ୍ ।
ଅନ୍ୟପକ୍ଷରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇ ଓଡିଶା ଫେରାଇଆଣିବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି । ହେଲେ ଗତ ୪ ଦିନ ହେବ ଜିନ୍ନତ୍ କୁଆଡେ କିଛି ବି ଖାଇନାହିଁ । ତେଣୁ ସେ ଦୁର୍ବଳ ଥିବାରୁ ଏ ଅବସ୍ଥାରେ ତାକୁ ଟ୍ରାଙ୍କୁଲାଇଜ୍ କରିବା ବିପଦ ପୂର୍ଣ୍ଣ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଏନେଇ ମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି । ବର୍ତ୍ତମାନ ୪ ଦିନ ହେଲାଣି ଜିନ୍ନତ୍ ଉପାସରେ ରହିଛି । ଏବେ ତାର ଶରୀର ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ୍ କରିବା ସୁରକ୍ଷିତ ନୁହେଁ । ବନବିଭାଗ ପକ୍ଷରୁ ତାହା ଉପରେ ନଜର ରଖାଯାଇଛି । ତା ଉପରେ ନଜର ରହିଥିବା ବେଳେ ତାକୁ ଫେରାଇଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ତେବେ ଗତ ୮ ତାରିଖ ରବିବାର ରାତିରେ ଶିମିଳିପାଳରୁ ପାଖାପାଖି ୫୦ କି.ମି ରାସ୍ତା ଅତିକ୍ରମ କରି ଝାଡ଼ଖଣ୍ଡରେ ପହଞ୍ଚିଥିଲା ବାଘୁଣୀ ଜିନ୍ନତ୍ । ଏହାପରଠୁ ସେ ଝାଡ଼ଖଣ୍ଡର ବିଭିନ୍ନ ଜଙ୍ଗଲରେ ବୁଲାବୁଲି କରୁଛି । ଜିନ୍ନତକୁ ଫେରାଇ ଆଣିବା ପାଇଁ ବାରିପଦାରୁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ ବର୍ତ୍ତମାନ ଝାଡ଼ଖଣ୍ଡରେ ଡେରା ପକାଇଛନ୍ତି । ମଇଁଷି ଥୋପ ପକାଇ ଜିନ୍ନତର ଗତିବିଧି ଉପରେ ନଜର ରଖିଛି । ଏବେ ଖାଲି ଅପକ୍ଷା କେବେ ବାଘୁଣୀ ଥୋପ ଖାଉଛି, ଯାଦ୍ବାରା ବନବିଭାଗ ତାକୁ କାବୁ କରିପାରିବ ।