Latest Odisha News

ନାକେଦମ୍ କଲାଣି ଜିନ୍ନତ୍, ନୟାନ୍ତ ହେଲେଣି ୩ ରାଜ୍ୟର ବନକର୍ମଚାରୀ

ଭୁବନେଶ୍ବର: ୩ ରାଜ୍ୟର ବନକର୍ମଚାରୀଙ୍କୁ ନାକରେ କନ୍ଦାଇଲାଣି ମରାଠୀ ବାଘୁଣୀ ଜିନ୍ନତ୍ । ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଥିବା ବାଘୁଣୀ ଜିନ୍ନତକୁ ଧରିବା ପାଇଁ ନକେଦମ୍ ହେଲାଣି ବନବିଭାଗ । ନା ସାମ୍ନାକୁ ଆସୁଛି, ନା ଧରାଦେଉଛି । ଚୁପ୍ କରି ବନକର୍ମଚାରୀଙ୍କ ଦ୍ବାରା ରଖାଯାଇଥିବା ଥୋପ ଖାଇ ଚମ୍ପଟ ମାରୁଛି । ଯାହାକୁ ନେଇ ଏବେ ଟେନସନରେ ବନ କର୍ମଚାରୀ ।

ବାଘୁଣୀ ଜିନ୍ନତ୍ ଏବେ ଓଡିଶଶ ଛାଡି ଝାଡଖଣ୍ଡ ଜଙ୍ଗଲ ମୁହାଁ ହୋଇଛି । ବାରୁଛି ଜାଗା । ତାକୁ କାଳେ ଓଡିଶା ଜଙ୍ଗଲ ଭଲ ଲାଗୁନି । ସେଥିପାଇଁ ଓଡିଶା ଫେରିବା ନାଁ ଧରୁନି ଜିନ୍ନତ୍ । ଏଥିପାଇଁ ବନବିଭାଗ କର୍ମଚାରୀ ନିଜର ଜି ଜାନ୍ ଲଗେଇଦେଇଛନ୍ତି, ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଓଡିଶା ଫେରେଇଆଣିବେ । ହେଲେ ସେଥିରେ ବି ଲୁଚୁକାଳି ଖେଳୁଛି ଚତୁରୀ ବାଘୁଣୀ ।

ପ୍ରାୟ ତିନି ସପ୍ତାହ ଧରି ସେ ତିନି ରାଜ୍ୟ ଘୂରି ବୁଲୁଛି। ଟ୍ରାଙ୍କୁଲାଇଜ୍‌ ପାଇଁ ଏବେ ଜିପିଏସ୍‌ ସମସ୍ୟା ଦେଖାଦେଇଛି। ସେ ଖାଦ୍ୟ ଖାଇଲେ ହିଁ ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ। ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ତିନି ରାଜ୍ୟର ବନକର୍ମଚାରୀ ତା’ଉପରେ ନଜର ରଖିଛନ୍ତି। ଜିନ୍ନତ ଧରାଯିବାକୁ ନେଇ ଉଦ୍ୟମ ଜାରି ରହିଛି ବୋଲି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ମନ୍ତ୍ରୀଙ୍କ କହିବାନୁଯାୟୀ, ରେଡିଓ କଲାର୍ ମାଧ୍ୟମରେ ଜିନ୍ନତକୁ ସାଟେଲାଇଟ୍ ଜରିଆରେ ଟ୍ରାକ୍ କରାଯାଉଛି। ଜିପିଏସ୍‌ ନେଟୱର୍କ ସବୁ ସ୍ଥାନରେ ନ ଥିବାରୁ ଟ୍ରାକିଂରେ ସମସ୍ୟା ରହୁଛି। ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି ଯେ, ବାଘୁଣୀ ଜିନ୍ନତକୁ ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ କରାଯିବ। ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ବନ୍ଦୱାନ ଜଙ୍ଗଲରୁ ବାହାରି ନିକଟସ୍ଥ ଏକ ଡ୍ୟାମ ନିକଟରେ ରହିଛି। ଖୋଲା ସ୍ଥାନରେ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇପାରେ। ଏଥିପାଇଁ ବନ ବିଭାଗ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.