Latest Odisha News

ଏହି ଦେଶରେ ବ୍ୟାନ ହେଲା ଚାଇନା ଆପ୍ ‘ଟିକଟକ୍’

ନୂଆଦିଲ୍ଲୀ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକଟକ୍ । ପୂର୍ବରୁ ନ୍ୟୁୟର୍କରେ ବ୍ୟାନ ହୋଇଥିବା ବେଳେ ଏବେ ପୁରା ଆମେରିକାରେ ଟିକଟକ୍ ଆପ୍ ବ୍ୟାନ ହୋଇଛି । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତି ଆମେରିକା ସରକାର । ତେବେ ସୁରକ୍ଷା କାରଣରୁ ଟିକଟକକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ତେବେ ଆଜିଠାରୁ ଏହି ନିଷେଧାଦେଶ ଲାଗୁ ହୋଇଛି । ଆମେରିକାରେ ଟିକଟକ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆମେରିକାର ଟିକଟକ୍ ଉପଭୋକ୍ତାମାନେ ଆଜି ଯେତେବେଳେ ଆପ୍ ଖୋଲିଥିଲେ ସେତେବେଳେ ‘ଟିକଟକ୍ ବର୍ତ୍ତମାନ ଉପଲବ୍ଧ ନାହିଁ’ ବୋଲି ମେସେଜ ପାଇଥିଲେ । ଏହାର ଏକ ସ୍କ୍ରିନସଟ୍ ନେଇ ଉପଭୋକ୍ତାମାନେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବେ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଟିକଟକ୍ ହଟାଇ ଦିଆଯାଇଛି । ଆମେରିକାରେ ଟିକଟକର ୧୭ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି। ଯାହାଙ୍କ ପାଇଁ ଏହା ଏବେ ଚିନ୍ତା ବଢାଇଛି ।

ଗତକାଲି ଆମେରିକାର ସୁପ୍ରିମକୋର୍ଟ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଜାତୀୟ ସୁରକ୍ଷା ଆଧାରରେ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେପଟେ ନବନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଟିକଟକକୁ ଆହୁରି ୯୦ ଦିନ ସମୟ ଦେବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଆମେରିକାରେ ଟିକଟକ୍ ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉ କି, ପୂର୍ବରୁ  ସୁରକ୍ଷା ଚିନ୍ତା ଦର୍ଶାଇ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦର ଫୋନରେ ଚୀନ ଟିକଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକଟକ୍ ଆପକୁ ବ୍ୟାନ କରିଥିଲା । ଟିକଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଭାରତ ପରେ ଆମେରିକା ଟିକଟକ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଶେଷରେ ଏବେ ଆମେରିକାରେ ଏହି ଆପ୍ ବ୍ୟାନ ହୋଇଛି ।

Comments are closed.