Latest Odisha News

BREAKING NEWS

ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ

ଟିଟିଲାଗଡ଼: ନିର୍ବାଚନ ବେଳେ ପୁଣି ରାଜନୈତିକ ହିଂସା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ତେଣ୍ଡିପାଲି ଗ‌ାଁରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରାଣାନ୍ତକ ଆକ୍ରମଣ ହୋଇଛି। ନବୀନ ଜୈନଙ୍କ ସହ କର୍ମୀ ଫେରିଲା ବେଳେ ଆକ୍ରମଣ ହୋଇଛି।

ତାଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସୌର ପ୍ଲାଣ୍ଟ ପାଖରେ ୨ କର୍ମୀଙ୍କୁ ମାଡ଼ ମାରି ଅପହରଣ କରାଯାଇଥିବା କୁହାଯାଉଛି। ତେବେ କିଛି ସମୟ ପରେ ଆହତ ୨ କର୍ମୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ନବୀନ ଜୈନ ନିର୍ବାଚନ ପ୍ରଚାରରେ ଡୁଙ୍ଗୁରିପାଲି ଯାଇଥିବା ବେଳେ ତେଣ୍ଡିପାଲିଠାରେ ଆୟୋଜିତ ଚନ୍ଦନଯାତ୍ରାରେ ଯୋଗଦେଇ ନିଜ ସମର୍ଥକଙ୍କ ସହ ଫେରୁଥିଲେ। ତେବେ ଗ୍ରାମ ନିକଟ ସୋଲାର ପ୍ଲାଣ୍ଟ୍‌ଠାରେ କିଛି ଯୁବକ ଆସି ତାଙ୍କ ଗାଡ଼ିକୁ ଅଟକାଇ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ମାଡ଼ ମାରିବା ସହ ସେମାନଙ୍କୁ ଗାଡ଼ିରେ ଅପହରଣ କରି ନେଇଯାଇଥିଲେ।

ହେଲେ ନବୀନଙ୍କ ଡ୍ରାଇଭର ତାଙ୍କୁ ଗାଁ ଭିତରକୁ ନେଇ ଜଣେ ବ୍ୟକ୍ତିଙ୍କ ଘରେ ସୁରକ୍ଷିତ ଅବସ୍ଥାରେ ରଖି ଗାଁ ଲୋକଙ୍କୁ ଜଣାଇଥିଲେ। ନବୀନଙ୍କଠାରୁ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ତଦନ୍ତ ପରେ ଆହତ ୨ କର୍ମୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣାକୁ ନେଇ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କଲେ ଆହତ କର୍ମୀ। ଅପର ପକ୍ଷ ମଧ୍ୟ ଥାନାର ଦ୍ବାରସ୍ଥ ହୋଇ ଜାତିଆଣ ଆକ୍ଷେପ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସମର୍ଥକମାନେ ଟିଟିଲାଗଡ଼ ଥାନା ଘେରାଉ କରିଛନ୍ତି। ଫଳରେ ଜାତୀୟ ରାଜପଥ ଅବରୋଧ ହେବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.