Latest Odisha News

BREAKING NEWS

ସାଂସଦ ଅଭିଷେକଙ୍କ ଚ୍ୟାଲେଞ୍ଜ, ଇଡି ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବ ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ତୃଣମୂଳ କଂଗ୍ରେସର ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ପରିବାରକୁ ଇଡି ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ଜୁନ ୫ ତାରିଖରେ ସାଂସଦଙ୍କ ପତ୍ନୀ ରୁଜିରା ନରୁଲା ବାନାର୍ଜୀଙ୍କୁ ଅଧିକାରୀମାନେ ବିମାନବନ୍ଦରରେ ଅଟକ ରଖିଥିଲେ। ରୁଜିରା ତାଙ୍କ ଦୁଇ ସନ୍ତାନଙ୍କ ସହ କଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜୀତିକ ବିମାନ ବନ୍ଦରରୁ ୟୁଏଇ ଯାଉଥିବା ଫ୍ଲାଇଟରେ ଯାତ୍ରା କରିବାକୁ ଯାଇଥିଲେ। କିନ୍ତୁ ରୁଜିରାଙ୍କୁ ବିମାନବନ୍ଦରରେ ରୋକାଯାଇଥିଲା। ଏନେଇ ସାଂସଦ କହିଛନ୍ତି ଯେ ଏପରି କରାଯିବାର କାରଣ ହେଉଛି ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଜନସମ୍ପର୍କ ନକରିବାକୁ ରୋକାଯାଉଛି।

ଅଭିଷେକ ବାନାର୍ଜୀ ହୁଗଲି ଜିଲ୍ଲାରେ ପିସି କରୁଥିବାବେଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଏଜେନ୍ସି ତାଙ୍କୁ କିମ୍ବା ତାଙ୍କ ପତ୍ନୀଙ୍କୁ ଗିରଫ କରି ପାରିବ ନାହିଁ। ସେ ପୁଣି କହିଛନ୍ତି, “ଯଦି ମୁଁ, ମୋ ପତ୍ନୀ ଓ ପିଲାମାନେ ଗିରଫ କରାଯାଏ ତଥାପି ମୁଁ ଆତ୍ମସମର୍ପଣ କରିବି ନାହିଁ। ଜନସାଧାରଣଙ୍କ ବ୍ୟତୀତ ମୁଁ କାହା ଆଗରେ ମୁଣ୍ଡ ନୁଆଁଇବି ନାହିଁ।” ସେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିକୁ ୩ ତାରିଖରେ ବିଦେଶ ଗସ୍ତ ବିଷୟରେ ସୂଚନା ଦିଆଯାଇଥିଲା। କିନ୍ତୁ ଏହାସତ୍ତ୍ୱେ ବିମାନବନ୍ଦରରେ ଏପରି ରୋକାଯିବାର ଅର୍ଥ କେଉଁଠି ନା କେଉଁଠି କିଛି ଭୁଲ ଅଛି।

ଅନ୍ୟପଟେ ତୃଣମୂଳ କଂଗ୍ରେସ କହିଛି ଯେ କୋଲକାତା ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ରୁଜିରାଙ୍କ ବିଦେଶ ଗସ୍ତ ଉପରେ କୌଣସି କଟକଣା ନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇଡି ତାଙ୍କୁ ବିଦେଶ ଗସ୍ତକୁ ରୋକିଛି। ତେଣୁ ଟିଏମସି ଏହା ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ରହିଛି। ସୂଚନା ଥାଉକି କୋଇଲା ଚୋରା ଚାଲାଣ ମାମଲାରେ ରୁଜିରାଙ୍କ ବିରୋଧରେ ଇଡି ତଦନ୍ତ ଚଳାଇଛି। ରୁଜିରାଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ୍ ନୋଟିସ୍ ଜାରି ହୋଇଛି। ଏହି ନୋଟିସ ଅନୁଯାୟୀ ରୁଜିରାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ଦିଆଯିବ ନାହିଁ।

Leave A Reply

Your email address will not be published.