Latest Odisha News

‘କୋଲକତା ଘଟଣାପରେ ଦେଶରେ ୯୦୦ରୁ ଅଧିକ ଦୁଷ୍କର୍ମ ହୋଇଛି’

କୋଲକତା: କୋଲକାତା ଆର.ଜି କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ତୃଣମୂଳ କଂଗ୍ରେସର (ଟିଏମସି) ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଗତ ୧୦ ଦିନ ମଧ୍ୟରେ ସାରା ଦେଶରେ ୯୦୦ ବଳାତ୍କାର ହୋଇଛି । ଦୁଃଖର ବିଷୟ ଯେ, ଏହି ଘଟଣାଗୁଡ଼ିକର ସ୍ଥାୟୀ ସମାଧାନ ବିଷୟରେ କେହି ଚିନ୍ତା କରୁନାହାଁନ୍ତି’ ।

ଅଭିଷେକ ଆହୁରି କହିଛନ୍ତି, “ପ୍ରତିଦିନ ଦେଶରେ ୯୦ ବଳାତ୍କାର ହେଉଛି । ପ୍ରତି ଘଣ୍ଟାରେ ୪ ଏବଂ ପ୍ରତି ୧୫ ମିନିଟରେ ଗୋଟିଏ ବଳାତ୍କାର ଘଟୁଛି।” ଆମ ଦେଶରେ ଶକ୍ତ ନିୟମ ଆବଶ୍ୟକ ଯାହାକି ୫୦ ଦିନ ମଧ୍ୟରେ ଯାଞ୍ଚ କରି ଦୋଷୀ ସାବ୍ୟସ୍ତ କରିବ ଏବଂ କେବଳ ଖାଲି ପ୍ରତିଶୃତି ନୁହେଁ କଠୋର ଦଣ୍ଡ ମଧ୍ୟ ପ୍ରଦାନ କରିବ । ବଳାତ୍କାର ବିରୋଧୀ ଏକ ଆଇନ ପ୍ରଣୟନ କରିବାକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ତ୍ୱରିତ ତଥା କଠୋର ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ତେବେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ପୁଣି ଭର୍ତ୍ସନା କରିଛନ୍ତି । ଘଟଣାରେ ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ । ଶବ ବ୍ୟବଚ୍ଛେଦ ପରେ ମାମଲା ରୁଜୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ । ଜଷ୍ଟିସ୍‌‌ ପାରଦିୱାଲା କହିଛନ୍ତି ଗତ ୩୦ବର୍ଷ ଭିତରେ ଏଭଳି ଅବହେଳା କେବେ ଦେଖିନଥିଲୁ । ଘଟଣାରେ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ବୋଲି କୋର୍ଟ କହିଛନ୍ତି ।

Comments are closed.