Latest Odisha News

BREAKING NEWS

‘ଓ୍ବାକଫ୍ ଉପରେ ନଜର ପକାଇଲେ, ଆଖି ତାଡି ଦେବୁ’, ଚେତାବନୀ ଦେଲେ ଟିଏମସି ନେତା

କୋଲକାତା: ପଶ୍ଚିମବଙ୍ଗରେ ଏବେ ତେଜିଛି ଓ୍ବାକଫ୍ ଆଇନ୍ ବିରୋଧ ହିଂସା । ଜଳୁଛି ପଶ୍ଚିମବଙ୍ଗ ରାଜ୍ୟର ମୁସଲିମବହୁଳ ଜିଲ୍ଲା ମୁର୍ଶିଦାବାଦ । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ରୁ ଅଧିକ ଜଣଙ୍କୁ ଗିରଫ କଲାଣି ପୋଲିସ୍ । ହେଲେ ଥମୁନି ହିଂସା ଏବଂ ବର୍ବରତା । ଯାହାକୁ ନେଇ ଏବେ ବଡ ବୟାନ ରଖିଛନ୍ତି ଶାସକ ଟିଏମସି ଦଳର ସାଂସଦ ।

ମମତା ବାନାର୍ଜୀଙ୍କ ଦଳର ମଥୁରାପୁର ସାଂସଦ ବାପି ହାଲଦାର ମୁସଲିମ ହିଂସାକୁ ଅଧିକ ଜେତିବା ଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି । କହିଛନ୍ତି, ୱାକଫ ସମ୍ପତ୍ତି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସମ୍ପତ୍ତି । ଯଦି କେହି ଏହା ଉପରେ ଖରାପ ନଜର ପକାଏ, ତେବେ ତାଙ୍କ ଆଖି ତାଡି ଦିଆଯିବ ଏବଂ ତାଙ୍କ ହାତ ଓ ଗୋଡ ଭାଙ୍ଗି ଦିଆଯିବ । ଏଥିସହିତ ସେ ଏହା ଦାବି କରିଛନ୍ତି, ଯେ ୱାକଫ ସମ୍ପତ୍ତିର ସୁରକ୍ଷା କରିବା ଆମର ଏବଂ ମମତା ବାନାର୍ଜୀ ସରକାରଙ୍କ ଦାୟିତ୍ୱ । ଆପଣ ଏ ବିଷୟରେ ନିଶ୍ଚିନ୍ତ ହୋଇପାରିବେ ବୋଲି କହି ମୁସଲିମ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି ।

ସେପଟେ ୱାକଫ ଆଇନ ବିରୋଧରେ ପ୍ରତିବାଦ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱାକଫ ସଂଶୋଧନ ଆଇନ ବଙ୍ଗଳାରେ ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । କହିଛନ୍ତି, ଆମେ ଏହାକୁ ସମର୍ଥନ କରୁନାହୁଁ । କିଛି ଦଳ ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି । ଆମେ ଏପରି ଆଇନ ତିଆରି କରିନାହୁଁ, ଯାହା ବିରୁଦ୍ଧରେ ଲୋକମାନେ ପ୍ରତିବାଦ କରୁଛନ୍ତି । ଏହି ଆଇନ କେନ୍ଦ୍ର ସରକାର ତିଆରି କରିଛନ୍ତି । ଆମେ କୌଣସି ହିଂସାକୁ ସମର୍ଥନ କରୁନାହୁଁ । ତୁମେ ସମସ୍ତେ ଦୟାକରି ଶାନ୍ତି ବଜାୟ ରଖ । ଧର୍ଯ୍ୟ ରଖ । ଧର୍ମ ନାମରେ କୌଣସି ଅଧାର୍ମିକ କାର୍ଯ୍ୟକଳାପରେ ଲିପ୍ତ ହୁଅନ୍ତୁ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ମୂଲ୍ୟବାନ, ରାଜନୀତି ପାଇଁ ଦଙ୍ଗାକୁ ଉସକାନ୍ତୁ ନାହିଁ ବୋଲି ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେିଛନ୍ତି ମୁଖ୍ୟମନ୍ତ୍ରୀ ମମତା ।

ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି । ମୁର୍ଶିଦାବାଦ ହିଂସା ସମ୍ପର୍କରେ ବିରୋଧୀ ଦଳ ନେତା, ଶୁଭେନ୍ଦୁ ଅଧିକାରୀ କହିଛନ୍ତି,  ବଙ୍ଗଳାରେ ସାମାଜିକ ଗଠନ ଭାଙ୍ଗି ଯାଇଛି । ବଙ୍ଗଳା ଜଳୁଛି । ମମତା ବାନାର୍ଜୀଙ୍କୁ ଲଜ୍ଜିତ ହେବା ଉଚିତ । ଟିଏମସିର ଏହି ଦଙ୍ଗାକୁ ଉସୁକାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

Bengal Waqf Violence

ଅନ୍ୟପକ୍ଷରେ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ଦଙ୍ଗା ଏବେ ବି ଜାରି ରହିଛି । ବଙ୍ଗଳାରେ ୱାକଫ ଆଇନକୁ ନେଇ ତୀବ୍ର ହେଉଛି ବିରୋଧ । ଶୁକ୍ରବାର ଦିନ ବଙ୍ଗଳାର ମୁର୍ଶିଦାବାଦ, ଦକ୍ଷିଣ ୨୪ ପ୍ରଗନା, ମାଲଦା ଏବଂ ହୁଗଲି ଜିଲ୍ଲାରେ ହିଂସା ଦେଖାଦେଇଥିଲା।  । ପଥର ମାଡ, ଭଙ୍ଗାରୁଜା, ଜଳାପୋଡା ଭଳି ସ୍ଥିତି ଉପୁଜାଇଥିଲେ ଦଙ୍ଗାକାରୀ । ଏହି ହିଂସାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୫୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ହିଂସା ପରେ, ମୁର୍ଶିଦାବାଦରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । କୋଲକାତା ହାଇକୋର୍ଟ ସିଏପିଏଫ ଯବାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏବେ ବି ମୁର୍ଶିଦାବାଦରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ହିଂସା ପ୍ରଭାବିତ ଅଞ୍ଚଳରେ ଧାରା ୧୬୩ ଲାଗୁ କରାଯାଇଛି ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସେପଟେ ୱାକଫ ଆଇନକୁ ନେଇ ହୋଇଥିବା ହିଂସାତ୍ମକ ପ୍ରତିବାଦ ସମ୍ପର୍କରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି, ମୁର୍ଶିଦାବାଦ ଜିଲ୍ଲାରେ ହିଂସା ଉପରେ କଡ଼ା ନଜର ରଖାଯାଇଛି । ହିଂସା ସମୟରେ ବାପା ଏବଂ ପୁଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହି ହିଂସାରେ ୧୫ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

Comments are closed.